ବାଲିଅନ୍ତାରେ ଯୁବକଙ୍କୁ ଗୋଡ଼ାଇ ଖଣ୍ଡାରେ ହାଣିବା ଘଟଣା: ଅଭିଯୁକ୍ତ ବଡ଼ ଭାଇ ଗିରଫ, କେନାଲରୁ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ଜବତ

ବାଲିଅନ୍ତା,୯।୬(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ପାହାଳ ଫାଣ୍ଡି ପଞ୍ଚମୁଖୀ ବିହାର ଆପାର୍ଟମେଣ୍ଟ ମୁଖ୍ୟ ଫାଟକ ନିକଟରେ ଶୁକ୍ରବାର ପ୍ରୀତମ କୁମାର ରାଉତରାୟ ନାମକ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ପ୍ରୀତମଙ୍କ ବଡ଼ ଭାଇ ମାମୁନ ରାଉତରାୟଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି। ଏବେ ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ତେବେ ମାମୁନଙ୍କ ବୟାନକୁ ଭିତ୍ତି କରି ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡାକୁ ବାଲିଅନ୍ତା ସାଇଫନ୍‌ ଛକସ୍ଥିତ କେନାଲ ଭିତରୁ ଜବତ କରିଛି। ଅଧିକ ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

ସୂଚନାଯୋଗ୍ୟ, ପାରିବାରିକ କଳହକୁ କେନ୍ଦ୍ରକରି ମାମୁନ ଏଭଳି ହତ୍ୟାକାଣ୍ଡ ଘଟାଇଥିଲେ ବୋଲି କୁହାଯାଉଛି। ତେବେ ଭାଇଙ୍କୁ ହତ୍ୟା କରିବା ପରେ ମାମୁନ ଓ ତାଙ୍କ ସ୍ତ୍ରୀ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ପୋଲିସ ଆଇପିସି ଦଫା ୩୦୨ରେ ମାମଲା(ନଂ.୧୪୮/୧୯) ରୁଜୁ କରି ତଦନ୍ତ କରୁଛି। ଅପରପକ୍ଷେ ପ୍ରୀତମଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇସାରିଥିବା ବେଳେ ସଂରକ୍ଷଣ ଗୃହରେ ରଖାଯାଇଛି। ରବିବାର ବାପା ନରେନ୍ଦ୍ର ଫେରିବା ପରେ ମୃତଦେହକୁ ନିଜ ଗାଁ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ହରିପୁରରେ ଦାହ କରିବେ ବୋଲି ଜଣାପଡ଼ିଛି।

Share