ବାଲିଆପାଳ ଅଞ୍ଚଳରେ ବ୍ୟାପକ କ୍ଷତି

ବାଲିଆପାଳ, ୨୩।୫(ସ୍ବ.ପ୍ର.)-ବାତ୍ୟା ଅମ୍ଫନ ପ୍ରଭାବରେ ବାଲିଆପାଳ ବ୍ଲକରେ ବ୍ୟାପକ କ୍ଷତି ହୋଇଛି। ବାତ୍ୟା ଛାଡ଼ିଯାଇଛି ମାତ୍ର ତାର ପ୍ରଭାବରେ ଚାଷୀ ଏବଂ ଗରିବ ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ଶହ ଶହ ଏକରରେ ହୋଇଥିବା ରବିଧାନ ପାଣିରେ ଭାସୁଛି। ସେହିପରି ସମୁଦ୍ରକୂଳିଆ ଗାଁଗୁଡ଼ିକରେ ହୋଇଥିବା ଚିନାବାଦାମ, ମିଗ, ବିରି ଗଛ ପାଣିରେ ବୁଡିରହି ପଚିବାକୁ ବସିଲାଣି। ପାନବରଜ ସବୁ ଭାଙ୍ଗି ମାଟିରେ ମିଶିଛି। ଗଛ ପଡି ଲଙ୍ଗଳେଶ୍ୱର ଗ୍ରାମର ଅମୂଲ୍ୟ ଜେନାଙ୍କ ଘର ଭାଙ୍ଗିବା ସହିତ ୫୦ ହଜାରରୁ ଊର୍ଦ୍ଧ୍ୱ ସାମଗ୍ରୀ ନଷ୍ଟ ହୋଇଛି। ସେହିପରି ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଚାଳଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ସେ ଏବେ ସ୍କୁଲ ଘରେ ପରିବାର ସହିତ ଅଶ୍ରୟ ନେଇଛନ୍ତି। ବାତ୍ୟା ପ୍ରଭାବରେ ଚଉମୁଖ, ଡଗରା, ବେତଗଡିଆ, ଜମ୍ଭିରାଇ, କଷାଫଳ ଆଦି ସ୍ଥାନରେ ଜଙ୍ଗଲ ବିଭାଗ ପକ୍ଷରୁ ରୋପଣ କରାଯାଇଥିବା ଝାଉଁ ଜଙ୍ଗଲରେ ଶହ ଶହ ଗଛ ଭାଙ୍ଗି ଉପୁଡି ପଡିଛି। ଏହି ସୁଯୋଗରେ କେତେକ କାଠମାଫିଆ ସେଗୁଡିକୁ ନେଇଯାଉଥିବାରୁ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି। ଏହି ବ୍ଲକର ପାନଚାଷୀଙ୍କ ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି। ଲକ୍‌ଡାଉନ ପାଇଁ ପାନ ବାହାରକୁ ଯାଇପାରୁନି ଏବଂ ଦୋକାନ ବନ୍ଦ ଥିବାରୁ ସ୍ଥାନୀୟ ବଜାରରେ ମଧ୍ୟ କେହି କିଣୁନାହାନ୍ତି। ଏବେ ଅମ୍ଫନ ଯୋଗୁ ୭୫ ଶତାଂଶ ପାନବରଜ ମାଟିରେ ମିଶିଯାଇଛି। ସେମାନେ କରଜ କରି ପାନବରଜ କରିଥିବା ବେଳେ ଏବେ କିପରି ଋଣ ପରିଶୋଧ କରିବେ ତାହାକୁ ନେଇ ଚିନ୍ତାରେ ଅଛନ୍ତି। ସରକାର ଧାନ ଏବଂ ଅନ୍ୟାନ୍ୟ ଫସଲକୁ ଯେପରି କିଣୁଛନ୍ତି ଏବଂ କ୍ଷତିପୂରଣ ଦେଉଛନ୍ତି ସେହିପରି ପାନଚାଷୀଙ୍କୁ ଅନୁରୂପ ସହାୟତା ଦେବାକୁ ପାନଚାଷୀ ଅନନ୍ତ ଗିରି, ଶିବନାରାୟଣ ବାରିକ, ମନୋରଞ୍ଜନ ଦେ, ଜୟଦେବ ପ୍ରମାଣିକ, ଗଣେଶ ବିଶ୍ୱାଳ ପ୍ରମୁଖ ଦାବି ହେଉଛି।