ବାଲିଆପାଳ ତହସିଲରେ ଅଚଳାବସ୍ଥା: ପ୍ରତିବାଦରେ ଓକିଲ, ମୋହରିର ସଂଘର ଧାରଣା

ବାଲିଆପାଳ, ୬।୬(ସ୍ବ.ପ୍ର.)-ବାଲିଆପାଳ ତହସିଲରେ ଦୀର୍ଘଦିନ ହେଲା ଲାଗି ରହିଛି ଅଚଳାବସ୍ଥା। ଆବେଦନ କରିବାର ମାସ ମାସ ପରେ ମଧ୍ୟ ହିତାଧିକାରୀଙ୍କୁ ମିଳୁନି ବିଭିନ୍ନ ପ୍ରମାଣପତ୍ର ଏବଂ ନାଗରିକ ସୁବିଧା ସୁଯୋଗ। ଏନେଇ ଓକିଲ, ମୋହରିର ସଂଘ ଏବଂ ଜନସାଧାରଣଙ୍କ ପକ୍ଷରୁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଜଣାଇଲେ ମଧ୍ୟ କୌଣସି ପ୍ରତିକାର ନ ହେବାରୁ ଗୁରୁବାର ସଂଘ ଏବଂ ବହୁ ସଂଖ୍ୟାରେ ସାଧାରଣ ଜନତା ତହସିଲ ସମ୍ମୁଖରେ ଧାରଣା ଦେଇଥିଲେ। ଧାରଣାସ୍ଥଳକୁ ତହସିଲଦାର ସ୍ନିଗ୍ଧାଛାୟା ମହାପାତ୍ର, ଭାଜପା ନେତା ବିକାଶ ଗିରି, ଅରବିନ୍ଦ ବେହେରା ପ୍ରମୁଖ ଯାଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ୧୦ଦିନ ମଧ୍ୟରେ ସମସ୍ତ ସମସ୍ତ ଦାବି ପୂରଣ କରାଯିବାର ପ୍ରତିଶ୍ରୁତି ଦେବା ପରେ ଧାରଣ ପ୍ରତ୍ୟାହୃତ ହୋଇଥିଲା।
ଅଭିଯୋଗ ଅନୁଯାୟୀ ଅଧିକାଂଶ ସମୟ ତହସିଲ କର୍ତ୍ତୃପକ୍ଷ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବାରୁ ଅନ୍ୟ ଅଧିକାରୀଙ୍କ ସହ ତାଙ୍କର ସମନ୍ବୟ ରହୁନାହିଁ। ଫଳରେ ହିତାଧିକାରୀ ନାମଜାରି ମକଦ୍ଦମା, ଓଏଲଆର ଆଦି କେସ୍‌ରେ ୟୁଜର୍ସ ଫି’ ଦାଖଲ କରିବାର ୫ ମାସରୁ ଅଧିକ ହୋଇଯାଇଥିଲେ ମଧ୍ୟ କେସ୍‌ଗୁଡ଼ିକର ଫଇସଲା କରାଯାଉ ନ ଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ଲିଗାଲହିଆର ସାର୍ଟିଫିକେଟ୍‌ ମଧ୍ୟ ମିଳୁନାହିଁ। ବହୁ ଛାତ୍ରୀଛାତ୍ର ଜାତି, ବାର୍ଷିକ ଆୟ, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ ମଧ୍ୟ ତାହା ନ ପାଇ ନିରାଶ ହୋଇ ପ୍ରତ୍ୟହ ଫେରିଯାଉଛନ୍ତି। ମୋହରିର ଏବଂ ଓକିଲମାନେ ଏସବୁ କାର୍ଯ୍ୟ ସମ୍ପାଦନରେ ମାଧ୍ୟମ ଭାବେ କାର୍ଯ୍ୟ କରିଆସୁଥିବାରୁ ସେମାନଙ୍କୁ ମଧ୍ୟ ଅସହଯୋଗ କରାଯାଉଛି। ତହସିଲଦାରଙ୍କ ସମେତ ବାଲେଶ୍ୱର ଜିଲାପାଳ, ଆରଡ଼ିସିଙ୍କଠାରେ ଲିଖିତ ଅଭିଯୋଗ କରାଯାଇଛି ହେଲେ ଅଦ୍ୟାବଧି ଏହାର ପ୍ରତିକାର ହୋଇ ନ ଥିବା ସଂଘ ପକ୍ଷରୁ କୁହାଯାଇଛି। ଏହାର ପ୍ରତିବାଦରେ ଗୁରୁବାର ଓକିଲ ଓ ମୋହରିର ସଂଘ ପକ୍ଷରୁ ଅର୍ଦ୍ଧେନ୍ଦୁ ବାରିକ, ଦିଲୀପ କୁମାର ସେଠୀ, ରାଧାଗୋବିନ୍ଦ ବେହେରା, ପ୍ରଭାତ ସାହୁ, ଆନ୍ଦ କୁମାର ପାଳ, ଭରତଭୂଷଣ ଦେ, କୀର୍ତ୍ତନ ପ୍ରଧାନ, ଅନାଦି ମହାନ୍ତି, ଚିତ୍ତରଞ୍ଜନ ମହାପାତ୍ର, ମଧୁସୂଦନ ସାହୁ ଓ ରାମନାରାୟଣ ପଣ୍ଡା ପ୍ରମୁଖ ନେତୃତ୍ୱରେ ବହୁ ଜନସାଧାରଣ ତହସିଲ ସମ୍ମୁଖରେ ଧାରଣାରେ ବସିଥିଲେ।