ବାଲିଖାଦାନରେ ବଟି ଆଦାୟ ନେଇ ଗଣ୍ଡଗୋଳ : ଖଣ୍ଡା, ପ୍ଲାଷ୍ଟିକ ବନ୍ଧୁକ ଜବତ, ୩ ଗିରଫ

ବାଲେଶ୍ୱର ଅଫିସ, ୨୫।୫: ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଦହପଡ଼ା ପଞ୍ଚାୟତର କଣ୍ଟାବଣିଆ ବାଲିଖାଦାନରେ ଦାଦା ବଟି ଆଦାୟକୁ ନେଇ ଗଣ୍ଡଗୋଳ ହୋଇଛି। ଏନେଇ ପୋଲିସ ଥାନାରେ ମାମଲା (ନଂ. ୧୪୩/୧୯) ରୁଜୁ କରି ଶନିବାର ସମ୍ପୃକ୍ତ ୩ଜଣ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଖଣ୍ଡା ଓ ପ୍ଲାଷ୍ଟିକ ବନ୍ଧୁକ ଜବତ କରାଯାଇଛି। କଣ୍ଟାବଣିଆ ବାଲିଖାଦାନରେ ଜଗୁଆଳି ଗୌରମୋହନ ଦାସ (୭୩) ଶୁକ୍ରବାର ରାତିରେ ବାଲିଖାଦାନରେ ଥିଲେ। ଏହି ସମୟରେ ୫ରୁ ୬ ଜଣ ଯୁବକ ହାତରେ ଖଣ୍ଡା, ଭୁଜାଲି ଓ ପ୍ଲାଷ୍ଟିକ ବନ୍ଧୁକ ଧରି ପ୍ରଥମେ ବଟି ଦେବା ପାଇଁ ବାଧ୍ୟ କରିଥିଲେ। ତାଙ୍କ ପାଖରୁ କିଛି ନ ପାଇବା ପରେ ମାରପିଟ୍‌ କରି ଭୁଜାଲି ଓ ବନ୍ଧୁକ ଦେଖାଇ ମାଲିକଙ୍କୁ ଫୋନ୍‌ କରି ଟଙ୍କା ଆଣିବା ପାଇଁ ବାଧ୍ୟ କରିଥିଲେ। ଖବର ପାଇବା ମାତ୍ରେ ବାଲି ଖାଦାନ ମାଲିକ ପୋଲିସକୁ ଜଣାଇଥିଲେ। ସେଠାରେ ପୋଲିସ ପହଞ୍ଚତ୍ ଯୁବକମାନଙ୍କ କବଳରୁ ଜଗୁଆଳିଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଘଟଣା ଜାଣିବା ପରେ ଶୁକ୍ରବାର ବିଳମ୍ବିତ ରାତିରେ ଦହପଡ଼ା ଗ୍ରାମର ସୁକାନ୍ତ ମହାଳିକ (୨୭), ଚନ୍ଦନ କୁମାର ପ୍ରଧାନ (୨୨) ଓ ସୌଭାଗ୍ୟ ପ୍ରଧାନ (୨୨)ଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ଅନ୍ୟ ଯୁବକମାନେ କୌଶଳକ୍ରମେ ଖସିଯାଇଥିବା ଥାନାଧିକାରୀ ଶୁଭ୍ରାଂଶୁ ନାୟକ କହିଛନ୍ତି।