ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ଅଭିଯୋଗ: ପ୍ରସୂତିଙ୍କ ହାତରେ ରହିଗଲା ଛୁଞ୍ଚି

ବାଲିଗୁଡ଼ା,୭।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଥିବା ପ୍ରସୂତି ବିଭାଗ ସ୍ବାସ୍ଥ୍ୟକର୍ମୀ ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ ହୋଇଛି। ଅବହେଳା ଯୋଗୁ ଜଣେ ପ୍ରସୂତିଙ୍କ ହାତରେ ଛୁଞ୍ଚି ରହିଯାଇଥିବା ନେଇ ମହିଳାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି।

ସୂଚନାନୁଯାୟୀ, ଗତ ୫ତାରିଖ ଦିନ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗିବାଡ଼ି ନିଳକନ୍ଦର ସାହିର ସରୋଜ କୁମାର ସାହୁଙ୍କ ସ୍ତ୍ରୀ ଜଗେଶ୍ବିନୀଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା। ସରୋଜ ତାଙ୍କ ସ୍ତ୍ରୀଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଏହାପରେ ସେଠାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ଜଗେଶ୍ବିନୀ । କିନ୍ତୁ ସ୍ବାସ୍ଥ୍ୟକର୍ମୀଙ୍କ ଅସାବଧାନତା ଯୋଗୁ ସାଲାଇନ୍‌ ବାହାର କରିବା ସମୟରେ ଜଗେଶ୍ବିନିଙ୍କ ହାତରେ ସାଲାଇନ ଛୁଞ୍ଚି ରହିଯାଇଥିଲା। ଫଳରେ ତାଙ୍କୁ ଯନ୍ତ୍ରଣା ହୋଇଥିଲା। ଏନେଇ ସରୋଜ ଡାକ୍ତରଙ୍କୁ ଅଭିଯୋଗ କରିବାପରେ ଏଠାରେ ଏହାର ଚିକିତ୍ସା କରାଯାଇପାରିବ ନାହିଁ। ତୁମେ ତୁମ ସ୍ତ୍ରୀଙ୍କୁ ଫୁଲବାଣୀ ନେଇଯାଅ କହି ସ୍ଥାନାନ୍ତର କରିଦିଆଯାଇଥିବା ଅଭିଯୋଗ କରିଛନ୍ତି ସରୋଜ। ଘଟଣା ସମ୍ପର୍କରେ ବାଲିଗୁଡ଼ା ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏଥିପ୍ରତି ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ପଡ଼ୁନାହିଁ। ଫଳରେ ଚିକିତ୍ସାରେ ଅବହେଳା ଯୋଗୁ ଅନେକ ନିରିହ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ ଏନେଇ କନ୍ଧମାଳ ଜିଲା ଚିକିତ୍ସା ଅଧିକାରୀ ଡ.ରାସେଶ୍ୱରୀ ପଟ୍ଟନାୟକଙ୍କୁ ପଚାରିବାରୁ ସେ କୁହନ୍ତି, ଡାକ୍ତରଖାନାର ସମସ୍ତ ଔଷଧ ପତ୍ର ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ସରକାର ପଠାଉଛନ୍ତି। ବାହାରର କୌଣସି ସାମଗ୍ରୀ ଆମେ ବ୍ୟବହାର କରୁନାହୁଁ । ଛୁଞ୍ଚିରେ ସମସ୍ୟା ରହିଛି । ଏମିତି ଘଟଣା ଆମ ନଜରକୁ ଆଉ କିଛି ମଧ୍ୟ ଆସିଛି । ଏନେଇ ଆମେ ସ୍ବାସ୍ଥ୍ୟ ବିଭାଗକୁ ଜଣାଇବୁ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି।

Share