ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ: ଆରମ୍ଭ ହେଲାଣି ସିଜରିଆନ ଡେଲିଭରି

ଫୁଲବାଣୀ ଅଫିସ, ୬ା୧-ସରକାର ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଉଛନ୍ତି। ମାତୃ ଓ ଶିଶୁ ମୃତ୍ୟୁହାର କମିବା ପାଇଁ ବହୁବିଧ ପଦକ୍ଷେପ ନିଆଯାଉଛି। ଏହିକ୍ରମରେ ସିଜରିଆନ ଡେଲିଭରି ଲାଗି ସଚେତନ କରାଯାଉଛି। କନ୍ଧମାଳ ଜିଲାରେ ସିଜରିଆନ ଡେଲିଭରି କହିଲେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବୁଝାଉଥିଲା। ଏବେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଏହି ସୁବିଧା ଉପଲବ୍ଧ କରାଯାଇଛି। ଫଳରେ ବାଲିଗୁଡା ମେଡିକାଲ ଉପରେ ନିର୍ଭର କରୁଥିବା ଗର୍ଭବତୀଙ୍କୁ ଆଉ ହଇରାଣ ହୋଇ ଫୁଲବାଣୀ ଆସିବାକୁ ପଡିବ ନାହିଁ। ସେମାନେ ବାଲିଗୁଡାରେ ସିଜରିଆନ ଡେଲିଭରି କରି ପାରିବେ। ସେଠାରେ ଉପଯୁକ୍ତ ଅସ୍ତ୍ରୋପଚାର ଗୃହ ସହ ନିଶ୍ଚେତକ ଡାକ୍ତର, ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ସବୁବେଳେ ଉପସ୍ଥିତ ରହୁଛନ୍ତିି। ଜିଲାପାଳ ଡା.ବୃନ୍ଦା ଡିଙ୍କ ଉଦ୍ୟମ ଫଳରେ ଗତ ଅକ୍ଟୋବରରୁ ହେଲା ଏହା ସମ୍ଭବ ହୋଇଛି। ହେଲେ ଉପଯୁକ୍ତ ପ୍ରଚାର ପ୍ରସାର ଅଭାବରୁ ଲୋକେ ଏହା ଜାଣି ନ ପାରି ଗର୍ଭବତୀଙ୍କୁ ଏବେ ବି ଜିଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀକୁ ଆଣୁଛନ୍ତି। ବର୍ତ୍ତମାନ ସୁଦ୍ଧା ବାଲିଗୁଡା ମେଡିକାଲରେ ୧୫ ସିଜରିଆନ ଡେଲିଭରି ସରିଲାଣି।
କନ୍ଧମାଳ ଜିଲା ସ୍ବାସ୍ଥ୍ୟସେବାରେ ପଛରେ ରହିଛି। ବିଶେଷ କରି ଦୁର୍ଗମ ଅଞ୍ଚଳରେ ଲୋକେ ଉତ୍ତମ ସ୍ବାସ୍ଥ୍ୟସେବା ପାଇବାରେ ବଞ୍ଚିତ ହେଉଛନ୍ତି। ଆସନ୍ନ ପ୍ରସବାଙ୍କ ପାଇଁ ମା’ ଘର ଖୋଲାଯାଇଛି। ସେଠାରେ ଗ୍ରାମରୁ ମହିଳାଙ୍କୁ ଆଣି ରଖାଯିବା ପରେ ପ୍ରସବ ପାଇଁ ମେଡିକାଲକୁ ନିଆଯାଏ। ସେହିପରି ଅଧିକାଂଶ ସମୟରେ ପରିବାର ଲୋକେ ଆସନ୍ନ ପ୍ରସବାଙ୍କୁ ଫୁଲବାଣୀ ମେଡିକାଲ ନେଇ ଆସିଥାନ୍ତି। ଯେହେତୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଏହି ସୁବିଧା ନ ଥିଲା। ଏହାର ମୂଳ କାରଣ ହେଉଛି ନିଶ୍ଚେତକ ଡାକ୍ତରଙ୍କ ଅଭାବ। ଏବେ ଜିଲାରେ ନିଶ୍ଚେତକ ଡାକ୍ତର ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଡା.ସୁନୀଲ ବେହେରାଙ୍କୁ ବାଲିଗୁଡା ମେଡିକାଲ ପଠାଯାଇଛି। ସେ ସବୁବେଳେ ସେଠାରେ ରହି ସେବା ଯୋଗଇ ଆସୁଛନ୍ତିି। ବାଲିଗୁଡା ମେଡିକାଲରେ ମୁଖ୍ୟତଃ ବାଲିଗୁଡା, କ.ନୂଆଗଁା, ଦାରିଙ୍ଗବାଡି, ରାଇକିଆ, ତୁମୁଡିବନ୍ଧ ଏବଂ କୋଟଗଡ ବ୍ଲକ ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି। ମିଳିଥିବା ସୁଚନା ଅନୁସାରେ, ମାସକୁ ହାରାହାରି ବାଲିଗୁଡାରେ ୧୧୧, କ.ନୂଆଗଁାରେ ୩୨, ଦାରିଙ୍ଗବାଡିରେ ୮୦, ତୁୁମୁଡିବନ୍ଧରେ ୫୧, କୋଟଗଡରେ ୫୬, ରାଇକିଆରେ ୩୧ ପ୍ରସବ କରିଥାନ୍ତି। ସେଥି ମଧ୍ୟରୁ ପ୍ରାୟ ୧୦ ପ୍ରତିଶତ ସିଜରିଆନ ଡେଲିଭରି ହୁଏ।

Share