ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଧାନ ଉଠିଲା

ଜୁନାଗଡ,୧୬।୬(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବାଲିଛଡା ମଣ୍ଡିରେ ଗତ ୨ଦିନ ହେଲା ମିଲର୍ସଙ୍କ ଅବହେଳା ଯୋଗୁ ଟ୍ରକ ଆସୁ ନ ଥିବାରୁ ମଣ୍ଡିରୁ ଧାନ ଉଠୁ ନ ଥିଲା। ଏହାକୁ ନେଇଁ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ମଙ୍ଗଳବାର ଜୁନାଗଡ ବିଧାୟକ ତଥା ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ହଠାତ୍‌ ବାଲିଛଡା ମଣ୍ଡିରେ ପହଞ୍ଚିଥିଲେ। ସେଠାରେ ଚାଷୀଙ୍କ ଧାନ ବିକ୍ରି ନ ହୋଇ ପଡିଥିବା ଦେଖି ମିଲର୍ସ ଓ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ। ଶିଘ୍ର ଧାନ ଉଠାଣ କରିବା ପାଇଁ ସେମାନଙ୍କୁ ମନ୍ତ୍ରୀ କହିଥିଲେ। ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମିଲର୍ସ ପକ୍ଷରୁ ଟ୍ରକ ଗୁଡିକ ଆସି ତରବରିଆ ଭାବେ ଚାଷୀଙ୍କ ଧାନ ଓଜନ କରାଯାଉଥିବା ଦେଖିବାକୁ ମିଳିଥିଲା। ସେହିପରି ବାଲିଛଡା ମଣ୍ଡିରେ ଶିଘ୍ର ଚାଷୀଙ୍କ ପାଇଁ ଏକ ଫଡ୍‌(ଚଟାଣ) ଓ ଛାଉଣୀ କରିବା ପାଇଁ ମନ୍ତ୍ରୀ ସ୍ଥାନୀୟ ଆର୍‌ଏମ୍‌ସି ସମ୍ପାଦକଙ୍କୁ ଫୋନରେ କହିଥିଲେ। ଏହି ସମୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ କୁମାର ରଥ, ଧର୍ମଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ପ୍ରଫୁଲ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଯେ,ବାଲିଛଡା ମଣ୍ଡିରେ ମିଲର୍ସ ପକ୍ଷରୁ ଟ୍ରକ ଆସୁ ନ ଥିବାରୁ ଗତ ୨ଦିନ ହେଲା ୬୦ ଜଣ ଚାଷୀଙ୍କ ପ୍ରାୟ ୪୫ ଶହ କୁଇଣ୍ଟାଲ ଧାନ ବିକ୍ରି ନ ହୋଇ ପଡିରହିଥିଲା।

Share