ବାଲିଡିପୋ ବିବାଦରୁ ଯୁବକଙ୍କୁ ହତ୍ୟା ଘଟଣା: ୩ ଗିରଫ

ରାସଗୋବିନ୍ଦପୁର,୧୧ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ମୂଷାମାରୀଠାରେ ବାଲିଡିପୋ ବିବାଦରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ତଦନ୍ତ ଚଳାଇ ୩ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ମୂଷାମାରୀ ଗ୍ରାମର ସଞ୍ଜୟ ବେହେରା, ବାଲି ବ୍ୟବସାୟୀ ଅଶ୍ୱିନୀ କାସ୍ତ ଓ ବାଲିଡିପୋର ମାଲିକ ମନୋଜ କୁମାର ଘୋଷ।
ଉଲ୍ଲେଖଯୋଗ୍ୟ ଯେ, ବାଲିଡିପୋ ନିକଟରୁ ରାମଚନ୍ଦ୍ରପୁର ଗ୍ରାମର ସ୍ବର୍ଗତ ସଞ୍ଜୟ ତରେଇଙ୍କ ସାନପୁଅ ମିଣ୍ଟୁ ତରେଇଙ୍କ ମୃତଦେହ ଗୁରୁବାର ସକାଳେ ଉଦ୍ଧାର ହୋଇଥିଲା। ମିଣ୍ଟୁଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ତାଙ୍କ ବଡ଼ ଭାଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ।