Categories: ଭଦ୍ରକ

ବାଲିମାଫିଆ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ

ଭଣ୍ଡାରିପୋଖରୀ,୧୪।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଷୋଳମପୁର ପଞ୍ଚାୟତ ମଣିନାଥପୁରସ୍ଥିତ ବୈତରଣୀ ନଦୀ ଘାଟରୁ ନିୟମିତ ବାଲି ଚୋରା ଚାଲାଣ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଥାଏ। ଏହି ପରିପ୍ରେକ୍ଷୀରେ ମଣିନାଥପୁର ଗ୍ରାମର କେତେଜଣ ବାଲିମାଫିଆ ଏକ ହାଇଓ୍ବାକୁ ପ୍ରରୋଚିତ କରି ବାଲି ଚୋରା ଚାଲାଣ କରିବାକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏହି ଗଣ୍ଡଗୋଳରେ ଦୁଇ ପକ୍ଷରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣ ଯାଜପୁର ଜିଲା ଚିକିତ୍ସାଳୟ ଓ ଅନ୍ୟ ଜଣେ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁଯାୟୀ, ଗୁରୁବାର ରାତିରେ ମୁଢ଼ାପଦା ଗ୍ରାମକୁ ଯାଉଥିବା ଏକ ହାଇଓ୍ବାକୁ ମଣିନାଥପୁରସ୍ଥିତ ବୈତରଣୀ ନଦୀ ବଲ୍ଲଭୀଘାଟ ସେତୁ ଉପରେ ସ୍ଥାନୀୟ କେତେକ ଯୁବକ ଅଟକାଇଥିଲେ। ମୁଢ଼ାପଦାର ଯୁବକମାନେ ଏହାର ପ୍ରତିବାଦ କରିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଶୁକ୍ରବାର ସନ୍ଧ୍ୟାରେ ମଣିନାଥପୁରର କେତେଜଣ ବାଲିମାଫିଆ ମୁଢ଼ାପଦାର ଜଣେ ଯୁବକଙ୍କୁ ନେଇ ମୁଣ୍ଡ ଜାମିନ ରଖିଛନ୍ତି। ଏହାକୁ କେନ୍ଦ୍ରକରି ମୁଢ଼ାପଦା ଗ୍ରାମ ନିକଟରେ ଗୋଷ୍ଠୀସଂଘର୍ଷ ହୋଇଛି। ରିପୋର୍ଟ ଲେଖା ହେବା ବେଳକୁ ଏ ନେଇ ଥାନାରେ ଅଭିଯୋଗ ହୋଇନାହିଁ। ତେବେ ଖବର ପାଇ ଭଣ୍ଡାରିପୋଖରୀ ଥାନା ପୋଲିସ ଦୁଇ ଗଁ।କୁ ଯାଇ ତଦନ୍ତ କରିବା ସହ ଯାଜପୁର ମେଡିକାଲରେ ପହଞ୍ଚି ଆହତଙ୍କ ଅବସ୍ଥା ପଚାରି ବୁଝିଥିବା ସୂଚନା ମିଳିଛି।