ବାଲିମେଳା ଜଳଭଣ୍ଡାରରୁ ଜଳ ନିଷ୍କାସନ ଦାବି: ସରକାରଙ୍କୁ ପୋଷ୍ଟର ମାଧ୍ୟମରେ ଚେତାବନୀ

ଚିତ୍ରକୋଣ୍ଡା, ୪।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଆଦିବାସୀ ବିପ୍ଳବୀ ଚାଷୀ ମୂଲିଆ ସଂଗଠନ ପକ୍ଷରୁ ଏକ ପୋଷ୍ଟର ମାଧ୍ୟମରେ ଶୁକ୍ରବାର ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି। ପୋଷ୍ଟରରେ ଉଲ୍ଲେଖ କରାଯାଇଛି ଯେ, ବାଲିମେଳା ଜଳଭଣ୍ଡାରରେ ଉଚ୍ଚସ୍ତର ପର୍ଯ୍ୟନ୍ତ ଜଳ ବୃଦ୍ଧି ପାଇଛି। ଗତ ବର୍ଷ ପରି ଚଳିତ ବର୍ଷ ସ୍ବାଭିମାନ ଅଞ୍ଚଳବାସୀଙ୍କ ଫସଲ ଧାନ, ମାଣ୍ଡିଆ, ସୁଆଁ, ବିରି, ମୁଗ ଆଦି ନଷ୍ଟ ହୋଇଗଲାଣି। ଫଳରେ ଅଞ୍ଚଳବାସୀ ବହୁତ କ୍ଷତିଗ୍ରସ୍ତ ହୋଇଛନ୍ତି। ଏ ନେଇ ସରକାର କୌଣସିପ୍ରକାର ସହାୟତା ଯୋଗାଉ ନାହାନ୍ତି। ବାଲିମେଳା ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧିକରି ଅଧିକ ବିଦ୍ୟୁତ୍‌ ଉତ୍ପାଦନ କରାଯାଉଛି। ଏହି ବିଦ୍ୟୁତ୍‌କୁ ବଡ଼ ବଡ଼ କମ୍ପାନୀକୁ ଦେଇ ସରକାର ଲାଭବାନ ହେଉଛନ୍ତି। ମାତ୍ର ଅଞ୍ଚଳବାସୀ କ୍ଷତି ସହୁଛନ୍ତି। ତୁରନ୍ତ ଡ୍ୟାମ୍‌ରୁ ପାଣି କମ୍‌ କରାଯାଉ ନ ହେଲେ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି।
ପ୍ରକାଶ ଯେ, ବାଲିମେଳା ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୧୫୧୬ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୫୧୪ ଫୁଟ ରହିଛି। କେବଳ ସୁଇସ୍‌ ଗେଟ୍‌ରେ ପାଣି ଛଡାଯାଉଛି। ମାତ୍ର କୌଣସି ଗେଟ ଖୋଲାଯାଇ ନାହିଁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।