ବାଲିଯାତ୍ରା ପାଇଁ ଟ୍ରାଫିକ କଟକଣା

କଟକ ଅଫିସ,୯ା୧୧: ଆସନ୍ତା ୧୨ରେ କଟକ ବାଲିଯାତ୍ରା। ଏଠାରେ ବୁଲିବା ସହ ଚଟ୍‌ପଟି ଖାଦ୍ୟର ମଜା ନେବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଲୋକଙ୍କ ସମାଗମ ହୋଇଥାଏ। ତେବେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ ପକ୍ଷରୁ ଯାନବାହନ ଚଳାଚଳ ପାଇଁ ଅସ୍ଥାୟୀ ଭାବେ ଟ୍ରାଫିକ କଟକଣା ଜାରି କରାଯାଇଛି। ଯାତ୍ରା ପଡ଼ିଆ ନିକଟ ୧୦ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ପାର୍କିଂ ସ୍ଥଳଗୁଡ଼ିକ ହେଉଛି ଭୁଆଶୁଣି ପଡ଼ିଆ, ଆନନ୍ଦ ଭବନ ପଡ଼ିଆ, ଦୟାଶ୍ରମ ପଡ଼ିଆ, ମୁଣ୍ଡାସାହି ପଡ଼ିଆ, ମୁଣ୍ଡାସାହି ପଶ୍ଚିମ ପଟ ପଡ଼ିଆ, ମୁଣ୍ଡାସାହି ଉତରପଟ ପଡ଼ିଆ, ଗୋରାକବର ପଡ଼ିଆ, ବୋଷ୍‌ ଇଞ୍ଜିନିୟରିଂ ପଡ଼ିଆ, କାର୍ତ୍ତିକେଶ୍ୱର ଗଡ଼ା ବାମ ଓ ପଶ୍ଚିମ ପଟ ପଡ଼ିଆ। ବାଲିଯାତ୍ରା ଆରମ୍ଭରୁ ଶେଷ ହେବା ପର୍ଯ୍ୟନ୍ତ ଅପରାହ୍ନ ୩ଟାରୁ ରାତି ୧ଟା ପର୍ଯ୍ୟନ୍ତ ଏହି ଟ୍ରାଫିକ କଟକଣା ବଳବତ୍ତର ରହିବ।
ଟ୍ରାଫିକ କଟକଣା ଅନୁଯାୟୀ, ମହାନଦୀ ରିଂରୋଡରେ ମାତାମଠ ଆଡୁ ଆସୁଥିବା ଯାନବାହନ ରିଂରୋଡରେ ଆସି ନୂଆ ଡିସିପି ଅଫିସ ପୂର୍ବରୁ ଥିବା ଗଡାରେ ଗଡି ବାଲିଯାତ୍ରା ପଡିଆ ଷ୍ଟାଣ୍ଡକୁ ଯାଇପାରିବେ। ଲୋକମାନେ ବାଲିଯାତ୍ରା ବୁଲିସାରିବା ପରେ ଏହି ଷ୍ଟାଣ୍ଡରୁ ବାହାରି ମୁଣ୍ଡାସାହି କଡ ରାସ୍ତା ଦେଇ ରିଂରୋଡ ବାହାରି କେବଳ ମାତାମଠ ଆଡକୁ ହିଁ ଯାଇପାରିବେ। ବକ୍ସିବଜାର ରିଜର୍ଭ ଲାଇନ ପାଖରୁ ତିନି ଓ ଚାରି ଚକିଆ ଗାଡି ଓପିଏ ଛକ ଆଡକୁ ଆସିପାରିବ ନାହିଁ। ଏହି ଗାଡି ନାରୀ ସେବା ସଦନ ଛକ ଦେଇ ଦୟାଶ୍ରମଠାରେ ହୋଇଥିବା ପାର୍କିଂ ସ୍ଥାନରେ ରହିବ। ନୂତନ ଭାବେ ନିର୍ମିତ ହୋଇଥିବା ମହାନଦୀ ସେତୁ ଆଡୁ ଆସୁଥିବା ତିନି ଓ ଚାରି ଚକିଆ ଗାଡି ଭୁଆଶୁଣି ପଡ଼ିଆରେ ରହିବ। ସେଠାରୁ ଲୋକମାନେ ପ୍ରଶାସନ ଦ୍ୱାରା ଯୋଗାଇ ଦିଆଯାଇଥିବା ଗାଡ଼ିରେ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଆସିପାରିବେ। ଆନନ୍ଦଭବନ ଛକଠାରୁ କୌଣସି ଯାନବାହନ ଜିଲା ଫୋର୍ଟ ଆଡ଼କୁ ଯାଇପାରିବ ନାହିଁ। ସତୀଉଚରା ଛକ ଓ ନେତାଜୀ ସେତୁ ଆଡୁ ଆସୁଥିବା ୩/୪ ଚକିଆ ଗାଡି ଭୁଆଶୁଣି ପଡ଼ିଆରେ ପାର୍କିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡାଇରେକ୍ଟର ଅଫ ଇଣ୍ଡଷ୍ଟ୍ରିଜ ଛକଠାରୁ କୌଣସି ଯାନବାହନ କିଲ୍‌ଖାନା ରାସ୍ତା ଦେଇ ସିଧା ଷ୍ଟାଡିୟମ ଆଡକୁ ଯାଇପାରିବନାହିଁ। ଏଥିସହିତ ବାଲିଯାତ୍ରା ପାଇଁ ପାସ୍‌ ଦିଆଯାଇଥିବା ଗାଡିଗୁଡ଼ିକ ଅପରାହ୍ନ ୩ଟା ପରେ ବାଲିଯାତ୍ରା ପଡ଼ିଆ ଭିତରକୁ ଯାଇପାରିବନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।

Share