ବାଲିସାହି-ସୁରାବ ରାସ୍ତା କଦର୍ଯ୍ୟ

ଅନୁଗୋଳ ଅଫିସ, ୨।୮-ଅନୁଗୋଳ ଜିଲା ବଲାସିଂହା ପଞ୍ଚାୟତ ବାଲିସାହିଠାରୁ ସୁରାବ ଯାଇଥିବା ୪ କିମି ରାସ୍ତା ଶୋଚନୀୟ ହୋଇପଡିଛି। ଅସରାଏ ବର୍ଷା ହେଲେ ସେଠାରେ ପାଣି ଜମି କାଦୁଅରେ ଭର୍ତ୍ତି ହୋଇଯାଉଥିବାରୁ ଏହା ଯାତାୟାତ ଉପଯୋଗୀ ହେଉନାହିଁ। ଫଳରେ ଏହା ଉପରେ ନିର୍ଭର କରୁଥିବା ଲୋକେ ଅସୁବିଧା ଭୋଗୁଛନ୍ତି। ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନକୁ ସମସ୍ୟା ଜଣାଇଥିଲେ ମଧ୍ୟ ରାସ୍ତା ମରାମତି କିମ୍ବା ନୂତନ ଭାବେ ଏହା ନିର୍ମାଣ ହେଉ ନ ଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଅଞ୍ଚଳବାସୀଙ୍କ କହିବା ମୁତାବକ, ଅନୁଗୋଳ ସହରଠାରୁ ମାତ୍ର ୧୦ କିମି ଦୂରରେ ଥିବା ସେହି ରାସ୍ତା ଉପରେ ପାଖାପାଖି ୩ ହଜାରରୁ ଊର୍ଦ୍ଧ୍ୱ ଲୋକ ନିର୍ଭର କରନ୍ତି। ହେଲେ ଥରେ ବର୍ଷା ହୋଇଗଲେ ଉକ୍ତ ରାସ୍ତାରେ ଯିବାଆସିବା କଷ୍ଟକର ହୋଇପଡେ। ଏହି ୪ କିମି ରାସ୍ତା ପାଇଁ ଲୋକେ ସମସ୍ୟାରେ ପଡ଼ୁଛନ୍ତି। ବାଲିସାହିରେ ବାସ କରୁଥିବା ଲୋକେ ସହରକୁ ଆସିବା ପାଇଁ ହେଲେ ଚଣ୍ଡିଖମଣ ଦେଇ ଛେଳିଆପଡ଼ା ରାସ୍ତା ନଚେତ ଚଣ୍ଡିଖମଣ ଦେଇ କାଙ୍ଗୁଲା ରାସ୍ତାରେ ଅନୁଗୋଳ ଯିବାକୁ ବାଟ ରହିଛି। ସେହିପରି ମହୀଧରପୁର ଯିବାକୁ ହେଲେ ସୁରାବ ଦେଇ ଖଣ୍ଡହତା ରାସ୍ତାରେ ମୁଖ୍ୟ ରାସ୍ତାକୁ ବାହାରିଥାନ୍ତି। କିନ୍ତୁ ବାଟରେ ପଡୁଥିବା ଉକ୍ତ ୪ କିମି ରାସ୍ତା ପାଇଁ ସମସ୍ୟା ଉପୁଜୁଛି। ବାଲିସାହିରେ ୟୁପି ସ୍କୁଲ ଥିବାବେଳେ ବଲାସିଂହାଠାରେ ଉଚ୍ଚ ବିଦ୍ୟାଳୟ ରହିଛି। ବର୍ଷାଦିନେ ସ୍କୁଲକୁ ଯିବାକୁ ଛାତ୍ରୀଛାତ୍ରମାନେ ଅସୁବିଧାରେ ପଡୁଥିବା ଅଭିଭାବକମାନେ ପ୍ରକାଶ କରିଛନ୍ତି। ତୁରନ୍ତ ଏହାର ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବଲାସିଂହା ସରପଞ୍ଚ ଅଶୋକ ସାହୁଙ୍କୁ ପଚାରିବାରେ କହିଛନ୍ତି, ଉକ୍ତ ରାସ୍ତା ସମ୍ପର୍କରେ ସ୍ଥାନୀୟ ଲୋକେ ଅବଗତ କରିଛନ୍ତି। କିନ୍ତୁ ପଞ୍ଚାୟତରେ ଏତେ ପରିମାଣର ଟଙ୍କା ନ ଥିବାରୁ ରାସ୍ତା ନିର୍ମାଣ ହୋଇପାରୁନି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲୁ। କିନ୍ତୁ ରାସ୍ତାଟି ୫ କିମିରୁ କମ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ହୋଇପାରି ନ ଥିଲା। ତେବେ ଆର୍‌ଡି ବିଭାଗ ପକ୍ଷରୁ ବଲାସିଂହା ଫୁଲପାଳ ଗାଁ ଦେଇ ଚଣ୍ଡିଖମଣକୁ ଏକ ରାସ୍ତା ଯିବ ବୋଲି ପ୍ରୋଜେକ୍ଟ ପ୍ରସ୍ତୁତ ହୋଇଛି। ଏହା ମଞ୍ଜୁର ହେବା ପରେ ବାଲିସାହି ଲୋକଙ୍କ ସମସ୍ୟା ଦୂର ହେବ ବୋଲି ସରପଞ୍ଚ କହିଛନ୍ତି।

Share