ବାଲି ଉଠାଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ରାୟଗଡ଼ା ଅଫିସ,୬।୧୦: ନାଗାବଳୀ ନଦୀରୁ ବାଲି ଉଠାଣକୁ ନେଇ ରବିବାର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। କତାପେଟା ଟ୍ରାକ୍ଟର ମାଲିକମାନେ ନାଗାବଳୀ ନଦୀର ମାଲିଙ୍ଗା ତୁଠରୁ ବାଲି ଉଠାଉଥିବା ବେଳେ ଗ୍ରାମବାସୀ ଏହାର ତୀବ୍ର ବିରୋଧ କରିଥିଲେ। ଫଳରେ ଦୁଇ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ପ୍ରତିବାଦରେ କୋତାପେଟାର ଟ୍ରାକ୍ଟରମାଲିକମାନେ ମାଲିଙ୍ଗା ବ୍ରିଜ୍‌ ଉପରେ ଟ୍ରାକ୍ଟର ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ କୋତାପେଟା ଓ ମାଲିଙ୍ଗା ରାସ୍ତାଦେଇ ଯାଉଥିବା ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଟ୍ରାକ୍ଟର ମାଲିକଙ୍କ କହିବାନୁଯାୟୀ, ସେମାନେ ଏହି ନଦୀରୁ ବାଲିଘାଟ ଟେଣ୍ଡର ନେଇଥିବାବେଳେ ସେମାନଙ୍କ ପାଖରେ ବାଲି ଉଠାଣ ପାଇଁ ଅନୁମତି ରହିଛି। କିନ୍ତୁ ମାଲିଙ୍ଗା ଲୋକେ ସେମାନଙ୍କୁ ବିରୋଧ କରୁଛନ୍ତି। ଅନ୍ୟପଟେ ବାଲି ଚାଲାଣ ଯୋଗୁ ପାଣି ମାଡ଼ି ଆସି ନଦୀକୂଳ ଖାଇବା ସହ ଜମିବାଡ଼ି, ଘରଦ୍ୱାରନଷ୍ଟ ହେବା ସାଙ୍ଗକୁ ବ୍ରିଜ ମଧ୍ୟ ନଷ୍ଟ ହେଉଥିବା ମାଲିଙ୍ଗା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି। ଅଦ୍ୟାବଧି ଘଟଣାସ୍ଥଳରେ ପୋଲିସ ପହଞ୍ଚିନାହିଁ।