ବାଲି ଉତ୍ତୋଳନକୁ ବିରୋଧ

ବଡ଼ସାହି,୨୦ା୧୨(ସ୍ବ.ପ୍ର)- ବଡ଼ସାହି ତହସିଲ ଅଧୀନ ଉଠାଣୀନୂଆଗଁା ଗ୍ରାମରେ ଥିବା ଲିଜ୍‌ ବାଲିଖାଦାନରୁ ବାଲି ଉତ୍ତୋଳନ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଗ୍ରାମବାସୀ ବିରୋଧ କରିଛନ୍ତିି। ଫଳରେ ସଜବାଜ ହୋଇ ଯାଇଥିବା ପୋଲିସ ପ୍ରଶାସନ ଓ ରାଜସ୍ବ ବିଭାଗ ଅଧିକାରୀଙ୍କ ସହ ମାଜିଷ୍ଟ୍ରେଟ ନିରାଶରେ ଫେରିଆସିଥିଲେ ା ଏହାକୁ ନେଇ ଲିଜ୍‌ଧାରୀମାନେ ମାଜିଷ୍ଟ୍ରେଟଙ୍କ ଗାଡ଼ିକୁ ଅଟକ ରଖିବା ସହ ରାସ୍ତାରୋକ କରିଥିଲେ ା ଥାନାଧିକାରୀ ଜୟନ୍ତ କୁମାର ବେହେରା ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା ା ପଲ୍ଲୀ ସଭା ଓ ଗ୍ରାମ ସଭା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ସୂତ୍ରରୁ ଜଣାପଡିଛି ା ତେବେ ଗ୍ରାମରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଛାତ୍ରୀଛାତ୍ରମାନଙ୍କୁ ଏଥିରେ ସାମିଲ କରାଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି ା
ବୁଢାବଳଙ୍ଗ ନଦୀର ଉଠାଣୀନୂଆଗାଁ ଗ୍ରାମରେ ଖାଦାନରୁ ବାଲି ଉତ୍ତୋଳନ ପାଇଁ ସରକାରୀ ସୂତ୍ରରେ ୨୦୧୫-୧୬ରୁ ଲିଜ୍‌ ପ୍ରଦାନ କରାଯାଇଥିଲା ା ବର୍ଷକୁ ୨ଲକ୍ଷ ୮୦ହଜାର ଟଙ୍କାର ରାଜସ୍ବ ଦାଖଲ କରିବା ପରେ ବାଲି ଉତ୍ତୋଳନ ଚାଲୁଥିଲା ା ୨ବର୍ଷ ଧରି ଲିଜ୍‌ଧାରୀ ରାଜସ୍ବ ପୈଠ କରିବା ପରେ କିଛି ଗ୍ରାମବାସୀ ଏହାକୁ ବିରୋଧ କରି ବାଲି ଉତ୍ତୋଳନକୁ ବନ୍ଦ କରିଥିଲେ ା ଫଳରେ ଗ୍ରାମରେ ଥିବା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ବିବାଦ ଉପୁଜିଥିଲା ା ଏହି ବିବାଦକୁ ନେଇ ବାଲି ଖାଦାନରୁ ବାଲି ଉତ୍ତୋଳନ ସମ୍ଭବ ହୋଇପାରି ନ ଥିଲା। ଲିଜ୍‌ଧାରୀମାନେ ବାରମ୍ବାର ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଭାଗ ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇ ବାଲି ଉତ୍ତୋଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୨ ପ୍ଲାଟୁନ ଫୋର୍ସ ସହିତ ବଡ଼ସାହି ଥାନାଧିକାରୀ, ମାଜିଷ୍ଟ୍ରେଟ ଭାବେ ବେତନଟୀ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର କର ଓ ବଡ଼ସାହି ଭାରପ୍ରାପ୍ତ ତହସିଲଦାର ପୃଥ୍ବୀରାଜ ପରିଡା ପ୍ରମୁଖ ଗୁରୁବାର ସଦଳବଳେ ଘଟଣାସ୍ଥଳକୁ ଯାଇଥିଲେ ା ବାଲିଘାଟକୁ ଯିବା ସମୟରେ ଶତାଧିକ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ବାଲି ଉତ୍ତୋଳନ କଲେ ଆମ ଉପରେ ଗାଡ଼ି ଚଢାଇ ନେବାକୁ ପଡ଼ିବ ବୋଲି ଗ୍ରାମର ରାଧାକୃଷ୍ଣ ପଣ୍ଡା, ରସାନନ୍ଦ ସାହୁ, ରାଜକିଶୋର ବେହେରା, ସୁକାନ୍ତୀ ପଣ୍ଡା ପ୍ରମୁଖ ପ୍ରକାଶ କରିଥିଲେ। ସେହିପରି ଛାତ୍ରୀଛାତ୍ରମାନେ ଏକଜୁଟ ହୋଇ ବାଲି ଉତ୍ତୋଳନକୁ ବିରୋଧ କରିବା ସହ ବାଲି ଉତ୍ତୋଳନ କଲେ ନଦୀପଠା କ୍ଷୟ ହେବା ସହ ବନ୍ୟାପାଣି ଗ୍ରାମକୁ ପ୍ରବେଶ କରିବ ବୋଲି କହିଥିଲେ ା ସ୍କୁଲ ସମ୍ମୁଖରେ ଭାରିଯାନ ଚଳପ୍ରଚଳ କଲେ କୋମଳମତି ଶିଶୁମାନେ ଦୁର୍ଘଟଣାର ଶିକାର ହେବେ ବୋଲି ମଧ୍ୟ ସେମାନେ ଅଭିଯୋଗ କରିବା ସହ ବାଲି ଉତ୍ତୋଳନ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରିଥିଲେ ା
ଏ ସମ୍ପର୍କରେ ଭାରପ୍ରାପ୍ତ ତହସିଲଦାରଙ୍କୁ ପଚାରିବାରୁ ଗ୍ରାମବାସୀଙ୍କ ମତାମତକୁ ନେଇ ଜିଲା ପ୍ରଶାସନଙ୍କ ସହିତ ଆଲୋଚନା କରିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ବିରୋଧ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ର ସାମିଲ ହେବା ସମ୍ପର୍କରେ ବିଆରସିସି ବାବଜୀ ବେହେରାଙ୍କୁ ପଚାରିବାରୁ ଛାତ୍ରୀଛାତ୍ରମାନେ ସାମିଲ ହେବା ନେଇ କୌଣସି ସୂଚନା ତାଙ୍କ ପାଖରେ ନାହିଁ ବୋଲି କହିଛନ୍ତି। ତେବେ ସ୍କୁଲକୁ ଆସିଥିବା କୌଣସି ଛାତ୍ରୀଛାତ୍ର ସେହି ସ୍ଥାନକୁ ଯାଇ ନାହାନ୍ତି ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ କହିଛନ୍ତି।