ବାଲି ଚୋରା ଚାଲାଣକୁ ରୋକିବା ପାଇଁ ଟ୍ରେଞ୍ଚ ଖୋଳିଲା ପ୍ରଶାସନ

ଆନନ୍ଦପୁର,୪।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅନ୍ତର୍ଗତ ପଦ୍ମପୁର ବୈତରଣୀ ନଦୀ ବାଲି ଘାଟରୁ ବାଲି ଚୋରା ଚାଲାଣକୁ ରୋକିବା ପାଇଁ ଆନନ୍ଦପୁର ତହସିଲ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ସଂପୃକ୍ତ ପଦ୍ମପୁର ବାଲିଘାଟ ତହସିଲ ପକ୍ଷରୁ ନିଲାମ କରାଯାଇନଥିବା ବେଳେ ବିଭିନ୍ନ ସମୟରେ ବେଧଡ଼କ ଭାବେ ଏଠାରୁ ବାଲି ମାଫିଆମାନେ ବାଲି ଚୋରା ଚାଲାଣ କରିବାରେ ସଫଳ ହେଉଛନ୍ତି। ଯଦିଓ ତହସିଲ ପକ୍ଷରୁ ଚଢାଉ କରାଯାଇ ଚୋରା ବାଲି ଗାଡ଼ିକୁ ଜବତ କରାଯିବା ଏବଂ ଜରିମାନା ଆଦାୟ କରାଯାଉଛି ତଥାପି ବାଲି ଚୋରା ଚାଲାଣ ରୋକାଯାଇପାରୁ ନାହିଁ। କେତେକ ତଳିଆ କର୍ମଚାରୀ ମୋଟା ଅଙ୍କର ହାତଗୁଞ୍ଜା ନେଇ ଏହି ବାଲି ଚୋରା ଚାଲାଣ ପରୋକ୍ଷରେ ସମର୍ଥନ କରୁଥିବାବେଳେ ଏହାକୁ ରୋକିବା ପାଇଁ ଆନନ୍ଦପୁର ତହସିଲ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ଆନନ୍ଦପୁର ତହସିଲଦାର ତପନ କୁମାର ନାୟକ ପଦ୍ମପୁର ବାଲି ଘାଟକୁ ଯାଇ ଥିବା ରାସ୍ତାରେ ଉପସ୍ଥିତ ରହି ୫ ଗୋଟି ବଡ ବଡ ଟ୍ରେଞ୍ଚ ଖୋଳିବାର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ବାରମ୍ବାର ଚଢାଉକରି ବାଲି ଚାଲାଣ ରୋକିବା ସମ୍ଭବ ନ ହେବାରୁ ବାଧ୍ୟ ହୋଇ ଟ୍ରେଞ୍ଚ ଖୋଳାଯିବାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ତହସିଲଦାର ତପନ କୁମାର ନାୟକ କହିଛନ୍ତି।