Categories: ଗଜପତି

ବାଲି ଚୋରା ଚାଲାଣ ନେଇ ଉତ୍ତେଜନା :୧୦ ଟ୍ରକ ଅଟକାଇ ରଖିଛନ୍ତି ଗ୍ରାମବାସୀ

କାଶୀନଗର,୧୬ା୫(ଡି.ଏନ.ଏ.)-ଗଜପତି ଜିଲା କାଶୀନଗର ବ୍ଲକରେ ବାଲି ଚୋରା ଚାଲାଣ ବେଳେ ଶୁକ୍ରବାର ରାତିରେ ଗ୍ରାମବାସୀ ଟ୍ରକଗୁଡିକୁ ଅଟକାଇଛନ୍ତି। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଶନିବାର ମଧ୍ୟ ଟ୍ରକଗୁଡିକ ଅଟକି ରହିଛି। ଜିଲାପାଳ ଓ ଏସପି ଆସି ଆଲୋଚନା ପରେ ଟ୍ରକ ଛଡାଯିବ ବୋଲି ଗ୍ରାମବାସୀ ଅଡି ବସିଛନ୍ତି। ଖବରରୁ ଜଣାପଡିଛି ଶୁକ୍ରବାର ମଧ୍ୟରାତିରେ ବାଲି ଚୋରାଚାଲାଣ ପାଇଁ କେତେକ ଟ୍ରକ କିତାଙ୍ଗି ବାଲି ର଼୍ୟାପକୁ ଆସିଥିଲା। ଏହାକୁ ବଥବା ଗ୍ରାମର ଗ୍ରାମବାସୀ ବିରୋଧ କରି ଟ୍ରକଗୁଡିକୁ ଅଟକାଇଥିଲେ। ବାଲି ଉଠାଇବା ନେଇ ଗ୍ରାମବାସୀ ଏବଂ ଟ୍ରକ ଡ୍ରାଇଭର ଚାଳକଙ୍କ ମଧ୍ୟରେ ବଚସା ହୋଇଥିଲା। ଖବରପାଇ ତହସିଲଦାର ଶାନ୍ତିସ୍ବରୂପ ମିଶ୍ର ଏବଂ ଆଇଆଇସି ଘଟଣା ସ୍ଥଳରେ ପହଞ୍ଚତ୍ ଗ୍ରାମବାସୀଙ୍କୁ ବୁଝାଶୁଝା କରି ବାଲିଉଠାଣ ଲାଗି ଅନୁମତି ଥିବା କହିଥିଲେ। ଏହି ଟ୍ରକଗୁଡିକ ଆନ୍ଧ୍ରର ପାଲାମ୍‌ଠାରୁ ପଲାସା ଓ ଚିଲାକାପାଲେମ୍‌ ବାଲି ନେବାକୁ ଟ୍ରକରେ ଲେଖାଥିବା ବେଳେ ସେମାନେ କାହିଁକି ଓଡ଼ିଶା କିତାଙ୍ଗି ର଼୍ୟାପରୁ ବାଲି ଉଠାଇବାକୁ ଆସିଛନ୍ତି ବୋଲି ଗ୍ରାମବାସୀ ପ୍ରଶ୍ନ କରିଥିଲେ। ଏମାନେ କିପରି ଓଡ଼ିଶା ସୀମାନ୍ତ ଟପି କାଶୀନଗରରେ ପଶିଲେ ବୋଲି ତହସିଲଦାରଙ୍କୁ ପଚାରିଥିଲେ। ଗ୍ରାମବାସୀଙ୍କ ବିରୋଧ ଯୋଗୁ ନଦୀ ଭିତରେ ଏବଂ ରାସ୍ତା ଉପରେ ପ୍ରାୟ ୧୦ଟି ଟ୍ରକ ଅଟକି ରହିଛି। ଏହି ଟ୍ରକଗୁଡିକୁ ଗ୍ରାମବାସୀ ଜଗି ରହିଛନ୍ତି। ଗଜପତି ଜିଲାପାଳ ଏବଂ ଏସପି ଆସି ଆଲୋଚନା ପରେ ଟ୍ରକଗୁଡିକୁ ଛଡାଯିବ ବୋଲି ଜିଦ୍‌ ଧରିଛନ୍ତି। ଏ ସମ୍ପର୍କରେ ତହସିଲଦାର ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, କୋଭିଡ-୧୯ ଗାଇଡଲାଇନ ଅନୁସାରେ ବାଲି ଉଠାଣ ଓ ଚାଲାଣ ହୋଇପାରିବ। ଏଥିରେ କିଛି ପ୍ରତିବନ୍ଧକ ନାହିଁ।