ବାଲି ଚୋରା ଚାଲାଣ ନ ରୋକିଲେ ଆନ୍ଦୋଳନ

ଭଣ୍ଡାରିପୋଖରୀ, ୩୧।୧୦ (ଡି.ଏନ.ଏ.)- ଭଣ୍ଡାରିପୋଖରୀ ତହସିଲ ବୈତରଣୀ ନଦୀର ବିଭିନ୍ନ ଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସମୟରେ ଏହାକୁ ବିରୋଧ କରାଯାଇଥିଲେ ମଧ୍ୟ ପ୍ରଶାସନ ବାଲି ଉତ୍ତୋଳନକାରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭାଜପାର ଏକ ପ୍ରତିନିଧି ଦଳ ଜିଲା ସଭାପତି ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଭଣ୍ଡାରିପୋଖରୀ ତହସିଲଦାରଙ୍କ ଜରିଆରେ ପ୍ରଦାନ କରିଛନ୍ତି।
ଭାଜପା ପକ୍ଷରୁ ଦର୍ଶାଯାଇଛି ଯେ, ବୈତରଣୀର ୬ଟି ସ୍ଥାନରୁ ବାଲି ନିଲାମ ପାଇଁ ରାଜସ୍ବ ବିଭାଗ ସ୍ଥାନ ନିରୂପଣ କରିଥିଲେ ହେଁ କୋର୍ଟର ହସ୍ତକ୍ଷେପ ଓ ଅନ୍ୟାନ୍ୟ କାରଣରୁ ମାତ୍ର ଦୁଇଟି ସ୍ଥାନରୁ ସରକାରୀ ରେକର୍ଡରେ ବାଲି ଉଠାଣ ଲାଗି ନିଲାମ ହୋଇଛି। କିନ୍ତୁ ବେଆଇନ ଭାବେ ଦୈନିକ ଜେସିବି ସାହାଯ୍ୟରେ ନଦୀଗର୍ଭରୁ ଶହଶହ ଟ୍ରିପ ବାଲି ଉଠାଯାଇ ଚାଲାଣ ହେଉଛି। ଫଳରେ ସରକାରଙ୍କ ରାଜସ୍ବ ହାନି ସାଙ୍ଗକୁ ପରିବେଶ ପ୍ରଦୂଷଣ ଓ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ମଧ୍ୟ କରୁଛି। ଜଗନ୍ନାଥପ୍ରସାଦ ମୌଜାର ବାଲିପୋଖରୀ ଏସ୍‌କେପ୍‌ଠାରୁ ବୈତରଣୀ ଆଖୁଆପଦା ଆନିକଟ ପର୍ଯ୍ୟନ୍ତ ପ୍ରାୟ ଦେଢ କି.ମି. ଦୁର୍ବଳ ନଦୀବନ୍ଧ ଉପରେ ଶହ ଶହ ଟ୍ରିପ ବାଲି ବୋଝେଇ ଟ୍ରକ ଯାତାୟାତ ଦ୍ୱାରା ନଦୀବନ୍ଧ ଦୁର୍ବଳ ହୋଇ ଗ୍ରାମ ପ୍ରତି ବିପଦ ଆଣୁଛି। ସେହିପରି ମଣିନାଥପୁର, ମୁଢାପଦାରୁ ଦୈନିକ ପର୍ଯ୍ୟାପ୍ତ ପରିମାଣର ବାଲି ଟ୍ରକ, ଟ୍ରାକ୍ଟର, ହାଇୱା ଯୋଗେ ଖୋଲାଖୋଲି ଭାବେ ଚାଲାଣ ହେଉଛି। ତହସିଲ ପକ୍ଷରୁ କଁା ଭଁା ଗାଡ଼ି ଧରି ଜରିମାନା ଆଦାୟ କରି ଛାଡ଼ି ଦିଆଯାଉଛି। ବାଲି ଚୋରା ଚାଲାଣ ପଛରେ ଏକ ର଼୍ୟାକେଟ୍‌ ରହିଛି। ପୋଲିସର ଅସହଯୋଗରୁ ବାଲି ମାଫିଆଙ୍କୁ ଧରିବାରେ ଅସହାୟତା ପ୍ରକାଶ କରିଛନ୍ତି ତହସିଲଦାର। ତୁରନ୍ତ ବାଲି ଚୋରା ଚାଲାଣକୁ ରୋକିବା ପାଇଁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନ ନେଲେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ତହସିଲଦାର ମୃତ୍ୟୁଞ୍ଜୟ ଭୁୟଁାଙ୍କ ସହ ଆଲୋଚନା ସମୟରେ କର୍ମୀମାନେ ଚେତାବନୀ ଦେଇଛନ୍ତି। ଭାଜପାର ଏହି ପ୍ରତିନିଧି ଦଳରେ ସଭାପତି ଧଳଙ୍କ ସମେତ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ନିର୍ମଳ କର, ରଶ୍ମିରଞ୍ଜନ ମହାପାତ୍ର, ପ୍ରକାଶ ମହାପାତ୍ର ପ୍ରମୁଖ ସାମିଲ ଥିଲେ।