ବାଲି ଚୋରାଚାଲାଣ : ୫ ଟ୍ରାକ୍ଟର ଜବତ

ଚନ୍ଦ୍ରଗିରି,୧।୮(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଖସଡ଼ା ରାମନଦୀରୁ ଗୁରୁବାର ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିବା ଖବର ପାଇ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ଘଟଣାସ୍ଥଳରେ ପହଞ୍ଚି ୫ଟି ଟ୍ରାକ୍ଟରକୁ ଜବତ କରିଛନ୍ତି। ଏହି ସମୟରେ ଡ୍ରାଇଭରମାନେ ରୟାଲଟି ରସିଦର ପ୍ରମାଣପତ୍ର ଦେଖାଇ ପାରି ନ ଥିଲେ କି ବାଲି ନେବା ନିମନ୍ତେ କୌଣସି ପ୍ରମାଣପତ୍ର ଦେଖାଇ ପାରି ନ ଥିବାରୁ ସମସ୍ତ ଟ୍ରାକ୍ଟରକୁ ଚନ୍ଦ୍ରଗିରି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନିକଟକୁ ଅଣାଯାଇଥିଲା। ଖବର ଲେଖା ହେବା ସୁଦ୍ଧା ଗୋଟିଏ ଟ୍ରାକ୍ଟରର ମାଲିକ ଆସି ୭ ହଜାର ଟଙ୍କା ଜରିମାନା ଦେଇ ତାଙ୍କ ଟ୍ରାକ୍ଟର ନେଇଥିବା ଜଣାପଡ଼ିଛି। ଅନ୍ୟ ସମସ୍ତ ଟ୍ରାକ୍ଟର ରାଜସ୍ବ କାର୍ଯ୍ୟାଳୟ ନିକଟରେ ଅଟକ ରହିଛି।