ବାଲି ବୋଝେଇ ଭାରୀଯାନ ଚଳାଚଳକୁ ବିରୋଧ: ପୋଲିସ-ଜନତା ମୁହାଁମୁହିଁ

ଆନନ୍ଦପୁର,୧୫।୧୨(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ସିଂଡୋଭ ଗ୍ରାମବାସୀ ବଞ୍ଚୋ ବାଲିଘାଟରୁ ଗ୍ରାମରାସ୍ତାରେ ବେଆଇନ ଭାବେ ବାଲି ବୋଝେଇ ଭାରୀଯାନ ଚଳାଚଳକୁ ବିରୋଧ କରି ଚଳିତ ମାସ ୧୨ତାରିଖରୁ ରାସ୍ତାକଡ଼ରେ ଧାରଣାରେ ବସି ରହିଛନ୍ତି। ରବିବାର ଚତୁର୍ଥ ଦିନରେ ବାଲି ବୋଝେଇ ଗାଡ଼ି ପୁନର୍ବାର ପ୍ରବେଶ କରିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ଆନନ୍ଦପୁର ଏସ୍‌ଡିପିଓଙ୍କ ଦାୟିତ୍ୱରେ ଥିବା ଘଟଗାଁ ଏସ୍‌ଡିପିଓ ରବିନ୍ଦ୍ର କୁମାର ମଲ୍ଲିକଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଲିସର ବୁଝାସୁଝା ସତ୍ତ୍ୱେ ଗ୍ରାମବାସୀ ବାଲି ବୋଝେଇ ଗାଡ଼ିକୁ ଗ୍ରାମରାସ୍ତାରେ ଛାଡ଼ିବାକୁ ଦେଇ ନ ଥିଲେ। ଫଳରେ ପୋଲିସ ଧାରଣାକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆନନ୍ଦପୁର ପୋଲିସ ବେଆଇନ ରାସ୍ତା ଅବରୋଧ ଘଟଣାରେ ୧୧ଜଣ ଗ୍ରାମବାସୀଙ୍କୁ ଥାନାକୁ ଆଣି ପଚରାଉଚରା କରୁଥିବା ଜଣାପଡ଼ିଛି।