ବାଲି ମାଫିଆଙ୍କ ଆତଙ୍କରାଜ୍‌ ଆର୍‌ଆଇ, ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ

ଭଣ୍ଡାରିପୋଖରୀ, ୪ା୨(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ବନ୍ଦାଳୋ ମଢ଼ିଆଳୀ ପଞ୍ଚାୟତ ବିରିଡ଼ିସ୍ଥିତ ବୈତରଣୀ ନଦୀପଠାରୁ ବାଲି ମାଫିଆମାନେ ବେଆଇନ ଭାବେ ବାଲି ଚାଲାଣ କରୁଛନ୍ତି। ଏନେଇ ଅଭିଯୋଗ ହେଉଥିଲେ ସୁଦ୍ଧା ବାଲି ମାଫିଆମାନେ ଖାତିର ନ କରି ଆତଙ୍କରାଜ ଚଳାଇଛନ୍ତି। ଯାହାର ସଦ୍ୟତମ ଉଦାହରଣ ସୋମବାର ଦେଖିବାକୁ ମିଳିଛି। ବାଲି ଚୋରାଚାଲାଣ ନେଇ ହୋଇଥିବା ଅଭିଯୋଗକୁ ଭିତ୍ତିକରି ସୋମବାର ମଞ୍ଜୁରିରୋଡ଼ ଅତିରିକ୍ତ ତହସିଲଦାର ଶରତ କୁମାର ସ୍ବାଇଁ ଓ ଆର୍‌ଆଇ ରାମନାରାୟଣ ସାମଲ ନଦୀପଠା ପରିଦର୍ଶନ କରିଥିଲେ। ସେଠାରୁ ଫେରିବା ପରେ କେତେକ ବାଲିମାଫିଆ ଓ ଟ୍ରାକ୍ଟର ମାଲିକ ଆର୍‌ଆଇ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ ଅତିରିକ୍ତ ତହସିଲଦାର ସ୍ବାଇଁ, ଆର୍‌ଆଇ ସାମଲ ଓ ତହସିଲ କର୍ମଚାରୀ ପ୍ରଦୀପ ଜେନାଙ୍କୁ ଠେଙ୍ଗା, ରଡ୍‌ ଓ ଟେକାରେ ଆକ୍ରମଣ କରିଥିଲେ। ଏଥିରେ ୩ଜଣ ଆହତ ହୋଇଥିଲେ। ସେମାନେ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ବାଲି ଚୋରାଚାଲାଣ ଅଭିଯୋଗକୁ ଆଧାର କରି ମଞ୍ଜୁରିରୋଡ୍‌ ଆର୍‌ଆଇ ସାମଲ ସୋମବାର ବୈତରଣୀ ନଦୀପଠା ପରିଦର୍ଶନ କରିଥିଲେ। ଏହି ସମୟରେ ନଦୀବନ୍ଧ ଉପରେ ଦୁଇଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରି ଚାଳକଙ୍କୁ ଗାଡ଼ି ଆର୍‌ଆଇ କାର୍ଯ୍ୟାଳୟ ନେବାକୁ କହିଥିଲେ। ତେବେ ଚାଳକଦ୍ୱୟ ଟ୍ରାକ୍ଟରକୁ ଆଣି ନଦୀବନ୍ଧ ଉପରେ ବାଲି ଖଲାସ କରିଦେଇଥିଲ। ଏଥିରେ ଆର୍‌ଆଇ ଅସନ୍ତୋଷ ପ୍ରକାଶ କରି ଟ୍ରାକ୍ଟର ନମ୍ବର ସହ ଫଟୋ ଉଠାଇ ପଳାଇ ଆସିଥିଲେ। ଅତିରିକ୍ତ ତହସିଲଦାର ସ୍ବାଇଁ କୌଣସି କାମରେ ତଦନ୍ତ କରିବାକୁ ମଞ୍ଜୁରିରୋଡ଼ ଅଞ୍ଚଳକୁ ଯାଇ ଆର୍‌ଆଇଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ଆର୍‌ଆଇ ଏସବୁ ବିଷୟରେ କହିବା ପରେ ଅତିରିକ୍ତ ତହସିଲଦାର ଆର୍‌ଆଇଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ହେଲେ ସେଠାରୁ ଆସି ଅଧିକାରୀମାନେ ଆର୍‌ଆଇ କାର୍ଯ୍ୟାଳୟରେ ଆଲୋଚନା କରୁଥିବାବେଳେ କେତେକ ବାଲିମାଫିଆ ଓ ଟ୍ରାକ୍ଟର ମାଲିକ ପହଞ୍ଚତ୍ ଆକ୍ରମଣ କରିଥିଲେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ ତହସିଲ ପକ୍ଷରୁ କୌଣସି ଏତଲା ଦିଆଯାଇନାହିଁ।

Share