ବାଲେଶ୍ୱରକୁ ଗଲେ ଆଉ ୧୦ ଉଦ୍ଧାରକାରୀ ଦଳ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ବାତ୍ୟା ‘ୟାସ’ ଯୋଗୁ କ୍ଷତିଗ୍ରସ୍ତ ତଥା ପ୍ରଭାବିତ ଜିଲାଗୁଡ଼ିକରେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବୁଧବାର ଅଗ୍ନିଶମ ଡିଜି ଏମ. ଅକ୍ଷୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ କଣ୍ଟ୍ରୋଲ ରୁମ୍‌ରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଅଧିକ କ୍ଷତିଗ୍ରସ୍ତ ବାଲେଶ୍ୱର ଜିଲାରେ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ବିତ କରିବା ପାଇଁ ଅତିରିକ୍ତ ୧୦ଟି ଉଦ୍ଧାରକାରୀ ଦଳକୁ ପଠାଯାଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ମୁତାବକ, ବାଲେଶ୍ୱର ଜିଲାକୁ ପୂର୍ବରୁ ଯାଇଥିବା ଅଗ୍ନିଶମ ବିଭାଗର ୪୦ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଉ ୧୦ ଦଳ ପହଞ୍ଚତ୍ଲେ ଏହି କାର୍ଯ୍ୟ ଆହୁରି ଜୋର୍‌ଦାର ହେବ। ସେହିଭଳି ଭଦ୍ରକ ଜିଲାରେ ୨୦, ମୟୂରଭଞ୍ଜରେ ୨୫, କେନ୍ଦ୍ରାପଡାରେ ୧୫, ଯାଜପୁରରେ ୧୩ ଓ କେନ୍ଦୁଝର ଜିଲାରେ ୨୨ ଦଳ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଉଦ୍ଧାର ଓ ବିଭିନ୍ନ କାର୍ଯ୍ୟ କରୁଛନ୍ତି। ଦଳରେ ନିୟୋଜିତ କର୍ମଚାରୀମାନେ ଆବଶ୍ୟକ ଯନ୍ତ୍ରାଂଶ ଓ ପାଓ୍ବାର ବୋଟ୍‌ ସହ ଜିଲାର ବିଭିନ୍ନ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୂର୍ବ ଯୋଜନା ଅନୁଯାୟୀ ମୁତୟନ ହୋଇ କାର୍ଯ୍ୟ ଚାଲୁ କରିଛନ୍ତି। ରାସ୍ତାରେ ଭାଙ୍ଗିପଡିଥିବା ଗଛ କାଟି ସଫା କରି ଗମନାଗମନର ସୁବ୍ୟବସ୍ଥା କରୁଛନ୍ତି। ଏଥିସହ ପାଣି ଘେରରେ ରହିଯାଇଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Share