ବାଲେଶ୍ୱରରେ ‘ଅମ୍ଫନ୍‌’ର ତାଣ୍ଡବ: ଅପରାହ୍ନରୁ ୧୧୦ କିମି ବେଗରେ ବହୁଛି ପବନ, ଭାଙ୍ଗିଲା କଚ୍ଚାଘର; ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ମହିଳା ମୃତ

ବାଲେଶ୍ୱର ଅଫିସ,୨୦।୫: ବାଲେଶ୍ୱର ଉପକୂଳ ଅତିକ୍ରମ କରୁଛି ବାତ୍ୟା ‘ଅମ୍ଫନ୍‌’। ଫଳରେ ଜିଲାରେ ବୁଧବାର ଅପରାହ୍ନରୁ ପବନର ବେଗ ବଢ଼ିବାରେ ଲାଗିଛି। ଖବର ଲେଖାଯିବା ବେଳେ ଘଣ୍ଟାପ୍ରତି ୧୦୦-୧୧୦ କିମି ବେଗରେ ପବନ ବହୁଛି। ସେହିଭଳି ବର୍ଷାର ପରିମାଣ ୨୯. ୪ ମିମି ରହିଛି। ତେବେ ଜିଲାର ଭୋଗରାଇ ଅଞ୍ଚଳରେ ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଥିସହ ବାତ୍ୟା ପ୍ରଭାବରେ ଜିଲାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ଗ୍ରାମାଞ୍ଚଳରେ ଥିବା କଚ୍ଚା ଘର, ଆଜବେଷ୍ଟସ୍‌, ଟାଇଲ୍‌ ଘର ଆଦି ବହୁତ କ୍ଷତିଗ୍ରସ୍ତ ହୋିଥିବା ସୂଚନା ମିଳିଛି ।

ପ୍ରଶାସନର ପ୍ରାକ୍‌ ପ୍ରସ୍ତୁତି ଅନୁଯାୟୀ, ବାତ୍ୟାର ମୁକାବିଲା ଲାଗି ସମୁଦ୍ରକୂଳିଆ ଅଞ୍ଚଳରୁ ପ୍ରାୟ ୪୯୦୦୦ଜଣ ଲୋକଙ୍କୁ ୪୦୦ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସେହିଭଳି ଜିଲାର ୧୨୫ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ପ୍ରସବ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

Share