ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି

ବାଲେଶ୍ୱର ଅଫିସ୍‌:୨୧।୪: ବାଲେଶର ସହରରେ କୋଭିଡ-୧୯ ଆକ୍ରାନ୍ତ ଚିହ୍ନଟ ହେବାପରେ ଏକ ପ୍ରକାର ଆତଙ୍କ ଦେଖାଦେଇଛି। ଗତ ଶନିବାର ବାଲେଶ୍ୱରର ନେଳିବାବାଗ ଅଞ୍ଚଳର ଜଣେ ୫୮ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସୋମବାର ନୀଳଗିରି ବ୍ଲକର ୨ ବର୍ଷର ଶିଶୁକନ୍ୟା ଓ ବାଲେଶ୍ୱର ସହରର ଜଣେ ୩୨ ବର୍ଷୀୟ ଯୁବକ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ତେବେ ମଙ୍ଗଳବାର ବାଲେଶ୍ୱରରେ ପୁଣି ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ଟୁଇଟ କରି ସୂଚନା ଦେଇଛି। ଏହାକୁ ମିଶାଇ ବାଲେଶ୍ୱରରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୮କୁ ପହଞ୍ଚିଛି। ଜିଲାରେ ଏତେ ମାତ୍ରାରେ ସଂକ୍ରମିତ ରୋଗୀ ଚିହ୍ନଟ ହେବା ଏବେ ଜିଲାପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ରୋଗୀ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟ୍ରାକ୍‌ କରିବା ଜିଲା ପ୍ରଶାସନ ପାଇଁ ଏକ ପ୍ରକାରର ଚ୍ୟାଲେଞ୍ଜିଂ ପାଲଟିଛି। ଅପରପକ୍ଷେ ସବୁ ରାଜ୍ୟ ଓ ଜିଲାର ସୀମା ସିଲ୍‌ କରାଯାଇଥିବା କୁହାଯାଉଥିବା ବେଳେ ସୀମାନ୍ତରେ ଯାଞ୍ଚ କୋହଳ ହେଉଥିବା ଅଭିଯୋଗ ହୋଇଛି। ଯାହାଫଳରେ ପଶ୍ଚିମବଙ୍ଗରେ କାମ କରୁଥିବା ଓଡ଼ିଆ ଏହି ସୀମା ରାସ୍ତା ଦେଇବାଲେଶ୍ୱରକୁ ଫେରିଛନ୍ତି। ତେଣୁ ପରିସ୍ଥିତି ଏଭଳିି ହୋଇଛି ଯେ, ଲୋକେ ଅନିଶ୍ଚିତତା ମଧ୍ୟରେ ସମୟ ବିତାଉଛନ୍ତି। ତେବେ ଆଗାମୀ ଦିନରେ ସହରରେ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ଏହାକୁ ନିୟନ୍ତ୍ରଣକୁ କରିବା ପାଇଁ ସହରକୁ ସଟ୍‌ଡାଉନ କରିବା ଲାଗି ଜିଲା ପ୍ରଶାସନ ବିଚାର କରୁଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ବାଲେଶ୍ୱର ସହରରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ଲୋକ ହୋଇଥିବା ବେଳେ ଆଉ କିଛି ଅସ୍ଥାୟୀ ଭାବେ ଦୀର୍ଘ ଦିନ ହେବ ସେଠାରେ ରହୁଥିବା ଜଣାପଡ଼ିଛି।

Share