ବାଲେଶ୍ୱରରେ ଗ୍ରୋସରୀ ଦୋକାନୀଙ୍କ ଅଭିନବ ପଦକ୍ଷେପ: ଲଗାଇଲେ ‘ମାସ୍କ ନାହିଁ ତ ଜିନିଷ ନାହିଁ’ ପୋଷ୍ଟର

ବାଲେଶ୍ବର ଅଫିସ, ୧୮।୪-ରାଜ୍ୟରେ କରୋନା ମୁକାବିଲା ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। କରୋନାଠାରୁ ସୁରକ୍ଷା ଲାଗି ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରାଯାଉଛି। ମାସ୍କ ନାହିଁ ତ ଜିନିଷ ନାହିଁ ବୋଲି କେତେକ ଗ୍ରୋସରୀ ( ସଉଦା) ଦୋକାନୀ ଲୋକଙ୍କୁ କହି ସଚେତନ କରାଉଛନ୍ତି। ବାଲେଶ୍ବର ଜିଲାର ବସ୍ତା, ବାଲିଆପାଳ ବ୍ଲକ ଅଞ୍ଚଳରେ ଦୋକାନୀମାନେ ଏଭଳି ସଚେତନ କରାଉଥିବା ଦେଖିବାକୁ ମିଳିଛି। ଏପରିକି କେତେକ ଦୋକାନୀ ଦୋକାନ ଆଗରେ ” ମାସ୍କ ନ ପିନ୍ଧିଲେ ଜିନିଷ ମିଳିବ ନାହିଁ ” ବୋଲି ଲେଖି ଦେଇଛନ୍ତି। ଲୋକଙ୍କୁ ସଚେତନ କରିବା ପାଇଁ ଏହା ଭଲ ପଦକ୍ଷେପ ବୋଲି କୁହାଯାଉଛି।

ବସ୍ତା ବ୍ଲକ ଅମର୍ଦ୍ଦାରୋ ଅଞ୍ଚଳର ଗ୍ରୋସରୀ ଦୋକାନୀ ବୈଦ୍ୟନାଥ ଖଣ୍ଡଲବାଲ କହିଛନ୍ତି, ପୋଲିସ ତରଫରୁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏଭଳି ଲେଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଆମେ ଦୋକାନ ଆଗରେ ଏଭଳି ଲେଖିଛୁ। ବାଲିଆପାଳ ଅଞ୍ଚଳର ଜଣେ ବ୍ୟବସାୟୀ ସୁରେଶ ଚନ୍ଦ୍ର କହିଛନ୍ତି, ଲୋକଙ୍କୁ ସଚେତନ କରିବା ପାଇଁ ଲେଖିଛୁ। ଅମର୍ଦ୍ଦରୋରୋଡ଼ ପୋଲିସ ଫାଣ୍ଡି ଅଧିକାରୀ ରସାନନ୍ଦ ବେହେରା କହିଛନ୍ତି, ମାସ୍କ ନ ଲଗାଇଲେ ଜିନିଷ ମିଳିବ ନାହିଁ ବୋଲି ଦୋକାନୀମାନଙ୍କୁ ଲେଖିବାକୁ କୁହାଯାଇଛି। କେତେକ ଦୋକାନୀ ମାନୁଛନ୍ତି, କେତେକ ମାନୁ ନାହାନ୍ତି ।

Share