ବାଲେଶ୍ୱର ଅଫିସ, ୧୬।୫-ବାଲେଶ୍ୱରରେ କରୋନା ପରୀକ୍ଷଣ ପାଇଁ ଅତ୍ୟାଧୁନିକ ଟେଷ୍ଟିଂ ମେଶିନର ପ୍ରତିଷ୍ଠା କରାଯାଉ ବୋଲି ବାଲେଶ୍ୱର ଜିଲା ସଦର ବିଧାୟକ ମଦନ ମୋହନ ଦତ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଦାବି କରିଛନ୍ତି। ପଶ୍ଚିମବଙ୍ଗ ପଡୋଶୀ ବାଲେଶ୍ୱର ହୋଇଥିବାରୁ ହଜାର ହଜାର ସଂଖ୍ୟକ ଲୋକ ସେଠାରୁ ଆସୁଛନ୍ତି। ଫଳରେ ଜିଲାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାକୁ ନଜରରେ ରଖି ଫକୀରମୋହନ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ କୋଭିଡ଼ ପରୀକ୍ଷଣ ମେଶିନ ଲଗାଇବାକୁ ବିଧାୟକ ଦତ୍ତ ଚିଠିରେ ଉଲ୍ଲେଖ କରିଛନ୍ତି। ମେଡ଼ିକାଲ କ୍ରିୟାନୁଷ୍ଠାନର ସଦସ୍ୟମାନେ ଅନୁରୂପ ଭାବେ ସରକାରଙ୍କୁ ଅନୁରୋଧ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ନିଷ୍ପତ୍ତି କ୍ରମେ ପୂର୍ବରୁ ବାଲେଶ୍ୱରଠାରେ କରୋନା ପରୀକ୍ଷଣ ମେଶିନ ବସିବା ପାଇଁ ବ୍ୟବସ୍ଥା ହୋଇଥିଲା। ମାତ୍ର ଗୁରୁବାର ଓଡ଼ିଶା ସରକାରଙ୍କ ଘୋଷଣାରେ କରୋନା ପରୀକ୍ଷଣ ମେଶିନ ପାଇଁ ବାରିପଦା ଏବଂ କୋରାପୁଟ ମେଡ଼ିକାଲ କଲେଜର ନାମ ଥିବା ବେଳେ ବାଲେଶ୍ୱର ଜିଲାର ନାମ ନ ଥିଲା। ଏନେଇ ବାଲେଶ୍ୱରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।