ବାଲେଶ୍ୱରରେ ୨ ବର୍ଷର ଶିଶୁକନ୍ୟା କରୋନା ଆକ୍ରାନ୍ତ ଚିହ୍ନଟ: ଆରମ୍ଭ ହେଲା ସ୍ବତନ୍ତ୍ର ନମୁନା ପରୀକ୍ଷା ଶିବିର, ବିଶୁଦ୍ଧୀକରଣ

ସଜନାଗଡ଼, ୨୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମ୍‌ପୁର ଥାନା ଅଞ୍ଚଳରେ ସୋମବାର ଏକ ୨ ବର୍ଷର ଶିଶୁକନ୍ୟା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଚିହ୍ନଟ ହୋଇଥିବା ଶିଶୁକନ୍ୟାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ଏବଂ ପୂର୍ବରୁ ଚିକିତ୍ସା ଯୋଗାଇଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଠାବ କରାଯାଇଛି। ମଙ୍ଗଳବାର ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ଏକ ଟିମ୍‌ ବରହମ୍‌ପୁରରେ ପହଞ୍ଚତ୍ ବରହମ୍‌ପୁର ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସୁରୋଜ ଜେନାଙ୍କ ନେତୃତ୍ୱରେ ଅନ୍ୟ କର୍ମଚାରୀଙ୍କ ସହ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ବରହମ୍‌ପୁର ଅଧୀନ ଗୁଡ଼ିବଣିଆ ପ୍ରାଇମେରୀ ସ୍କୁଲରେ ସ୍ବାବ୍‌ ସଂଗ୍ରହ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୫୦ରୁ ୬୦ ନମୁନା ସଂଗ୍ରହ କରାଯାଇଥିବା ଡା. ଜେନା କହିଛନ୍ତି। ଏତଦ୍‌ବ୍ୟତୀତ ନୀଳଗିରି ଅଗ୍ନିଶମ ବିଭାଗ ଦ୍ୱାରା ଆବଦ୍ଧାଞ୍ଚଳ ସହ ବରହମ୍‌ପୁର ବଜାରକୁ ବିଶୁଦ୍ଧୀକରଣ କରାଯାଇଛି। ନୀଳଗିରି ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନା ପହଞ୍ଚତ୍ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତା ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ତଦାରଖ କରିଥିଲେ।