ବାଲେଶ୍ୱରର ୫ ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ: ୪ ମହିଳା, ଜଣେ ପୁରୁଷ

ଭୁବନେଶ୍ୱର,୨୭ା୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ୫ କରୋନା ଆକ୍ରାନ୍ତ ବାଲେଶ୍ୱର ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟ୍‌ରୁୁ ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୪ଜଣ ମହିଳା, ଜଣେ ପୁରୁଷ ରହିଛନ୍ତି। ମହିଳାମାନଙ୍କ ବୟସ ଯଥାକ୍ରମେ ୨୨, ୨୩, ୨୯ ଏବଂ ୫୫। ସେହିପରି ପୁରୁଷ ଆକ୍ରାନ୍ତଙ୍କ ବୟସ ୨୭ ବର୍ଷ । ଏମାନଙ୍କ ଠାରେ ସାମାନ୍ୟ ଲକ୍ଷଣ ଥିଲା। ସମସ୍ତେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ଏମାନଙ୍କଠାରେ ପଜିଟିଭ୍‌ ଆସିବାରୁ ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ଜାଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର।
ସୂଚନାଯୋଗ୍ୟ, ଏବେ ୭୨ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି। ସେମାନଙ୍କ ମଧ୍ୟରୁ ୩୫ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।

Share