ବାଲେଶ୍ୱର-ନୀଳଗିରି ଷ୍ଟେଶନ ମଧ୍ୟରେ ମରାମତି: ୩ ଟ୍ରେନ ବାତିଲ୍‌, ୭ଟିର ସମୟ ପରିବର୍ତ୍ତନ

ଭୁବନେଶ୍ୱର, ୨୮ା୧୨(ବ୍ୟୁରୋ): ବାଲେଶ୍ୱର ଓ ନୀଳଗିରି ରୋଡ଼ ଷ୍ଟେଶନ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ରବିବାର ୩ ଟ୍ରେନ୍‌ ବାତିଲ୍‌ ସହ ୭ଟିର ସମୟ ପରିବର୍ତ୍ତନ କରାଯାଇଛି। ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଏହି ଦୁଇ ଷ୍ଟେଶନ ମଧ୍ୟରେ ରୋଡ଼ ଓଭରବ୍ରିଜରେ ଗାର୍ଡ଼ର ସ୍ଥାପନ କରାଯିବ। ଏଥିପାଇଁ ବାତିଲ୍‌ ହେଉଥିବା ଟ୍ରେନ୍‌ଗୁଡ଼ିକ ହେଲା ୬୮୦୫୧-୬୮୦୫୧ ବାଲେଶ୍ୱର-ଭଦ୍ରକ ମେମୁ, ୬୮୧୦୯-୬୯୧୧୦ ଖଡ଼ଗପୁର-ଯାଜପୁର କେନ୍ଦୁଝର ରୋଡ଼ ମେମୁ ଓ ୧୨୦୭୩-୧୨୦୭୪ ହାଓଡ଼ା ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ। ସେହିଭଳି ହାଓଡ଼ାରୁ ଛାଡ଼ିବାକୁ ଥିବା ୧୨୮୨୧-୧୨୨୮୨ ଧଉଳି ଏକ୍ସପ୍ରେସ, ୧୨୭୦୩ ଫଲକନାମା ଏକ୍ସପ୍ରେସ, ୧୨୨୭୭-୧୨୨୭୮ ଶତାବ୍ଦୀ ଏକ୍ସପ୍ରେସ, ଖଡ଼ଗପୁର-ଭଦ୍ରକ ମେମୁ, ଶନିବାର ଆନନ୍ଦବିହାରରୁ ଆସୁଥିବା ୧୨୮୧୬ ନନ୍ଦନକାନନ ଏକ୍ସପ୍ରେସ ଓ ଚେନ୍ନାଇରୁ ବାହାରୁଥିବା କରମଣ୍ଡଳ ଏକ୍ସପ୍ରେସର ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ପରିବର୍ତ୍ତିତ ସମୟ ବିଷୟରେ ଯାତ୍ରୀମାନେ ସୂଚନା କେନ୍ଦ୍ର କିମ୍ବା ରେଲ୍‌ଓ୍ବେ ଅନୁସନ୍ଧାନ ନମ୍ବରରେ ଫୋନ କରି ଜାଣିପାରିବେ।

Share