ବାଲେଶ୍ୱର ପାଲଟିଛି ନକଲି ବିଦେଶୀ ମଦ ହବ୍‌

ବାଲେଶ୍ୱର ଅଫିସ,୨୮।୨- ବାଲେଶ୍ୱର ସହର ଏବଂ ତାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ନକଲି ବିଦେଶୀ ମଦର ବ୍ୟାପକ କାରବାର ବଢ଼ି ଚାଲିଥିବାରୁ ଯେକୌଣସି ସମୟରେ ମଦମୃତ୍ୟୁ ଭଳି ଅଘଟଣ ଘଟିବାର ସମ୍ଭାବନା ସୃଷ୍ଟି ହୋଇଛି। ଏପରିକି ସ୍ପିରିଟ୍‌ ଏବଂ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟ ମିଶ୍ରଣରେ ନକଲି ବିଦେଶୀ ମଦ ତିଆରି କରି ମଦ ବେପାରୀମାନେ ମାଲାମାଲ ହେଉଥିବା ଜଣାପଡ଼ିଛି। ଏହି ନକଲି ମଦ ସବୁକୁ ରାଜପଥପାର୍ଶ୍ୱ ଢ଼ାବା, ହୋଟେଲ ଏବଂ ଗ୍ରାମାଞ୍ଚଳରେ ବିଭିନ୍ନ ପାନ ଦୋକାନରେ ଅବାଧରେ ବିକ୍ରି ହେଉଛି। ଏହାଛଡ଼ା ବାଲେଶ୍ୱର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳମାନଙ୍କରେ ଥିବା କେତେକ ଅଫ୍‌ ସପ୍‌ (ଠିପି ବନ୍ଦ) ବିଦେଶୀ ମଦ ଦୋକାନରେ ମଧ୍ୟ ଏହିସବୁ ନକଲି ଓ ନିମ୍ନମାନର ମଦ ବିକ୍ରି ହେଉଥିବାର ବାରମ୍ବାର ଅଭିଯୋଗ ହୋଇଆସୁଛି।
କିଛିଦିନ ତଳେ ମିତ୍ରପୁର ଅଞ୍ଚଳର ଜଣେ କୁଖ୍ୟାତ ମଦ ବେପାରୀ ନିଜେ ମଦ ପ୍ରସ୍ତୁତ କରୁଥିବାର ଫଟୋଚିତ୍ର ଲୋକଲୋଚନକୁ ଆସିଥିଲା। ସେଠାରୁ ଏକ ପିକଅପ୍‌ ଭର୍ତ୍ତି ନକଲି ବିଦେଶୀ ମଦକୁ ମଧ୍ୟ ଜବତ କରାଯାଇ ଜଣକୁ ଗିରଫ କରାଯାଇଥିଲେ ମଧ୍ୟ ମାମଲାକୁ ଦୁର୍ବଳ କରାଯାଇଥିବା ଜଣାପଡ଼ିଛି। ଅପରପକ୍ଷରେ ଅନ୍‌ସପ୍‌ (ଠିପି ଖୋଲା) ବା ବାର୍‌ମାନଙ୍କରେ ମଧ୍ୟ ନିମ୍ନମାନର ମଦ ବିକ୍ରି ହେଉଥିଲେ ମଧ୍ୟ ଅବକାରୀ ବିଭାଗ ଏଥିପ୍ରତି ଆଖି ବୁଜି ଦେଇଥିବାର ଅଭିଯୋଗ ହେଉଛି। ସେହିପରି ଗତ ଫେବୃୟାରୀ ୧୫ ତାରିଖ ରାତି ପ୍ରାୟ ୧୦ଟା ସମୟରେ ବିଭିନ୍ନ ଅଭିଯୋଗକୁ ଆଧାର କରି ସିନେମା ଛକ ସ୍ଥିତ ଏକ ବାର୍‌ ଉପରେ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ତେବେ ଉକ୍ତ ବାର୍‌ର ଷ୍ଟକ୍‌ ଖାତା ଅପଡେଟ୍‌ ନ ଥିବାବେଳେ ସ୍ବୀକୃତି ପ୍ରାପ୍ତ ବାର୍‌ ବୟ ମଧ୍ୟ ନ ଥିବାବେଳେ ଓଏସ୍‌ବିସିରୁ ଉଠାଯାଇଥିବା ମଦ ଅପେକ୍ଷା ସେଠାରେ ଯଥେଷ୍ଟ ଅଧିକ ପରିମାଣର ମଦ ମହଜୁଦ୍‌ ଥିବା ଜଣାପଡ଼ିଥିଲା। ଉକ୍ତ ବାର୍‌ ଉପରେ ଦୀର୍ଘ ୨ଘଣ୍ଟା ଧରି ଚଢ଼ାଉ କରାଯାଇ ସେଠାରେ ବିଭିନ୍ନ ପ୍ରକାରର ଅନିୟମିତତା ହୋଇଥିବା ଜଣାପଡ଼ିଥିଲା। ମାତ୍ର ଅବକାରୀ ବିଭାଗ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଗଲା ନାହିଁ। ତେବେ କୌଣସି ବଡ଼ଧରଣର ଅଘଟଣ ଘଟିବା ପୂର୍ବରୁ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ବିହୀତ କାଯର୍‌ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ଏ ସମ୍ପର୍କରେ ଜିଲା ଅବକାରୀ ଅଧିକ୍ଷକ ବିବେକାନନ୍ଦ ନାୟକଙ୍କୁ ପଚାରିବାରୁ ଅଭିଯୋଗକ୍ରମେ ଉକ୍ତ ବାର୍‌ ଉପରେ ଚଢ଼ାଉ କରାଯାଇଥିଲା। ବାର୍‌ର ସମସ୍ତ ଆଇନ୍‌ଗତ କାଗଜ ଠିକ୍‌ଠାକ୍‌ ଥିବାବେଳେ ସ୍ବୀକୃତିପ୍ରାପ୍ତ ବାର୍‌ ବୟ ମଧ୍ୟ ଅଛନ୍ତି। ଅନ୍ୟପକ୍ଷେ ମିତ୍ରପୁର ଅଞ୍ଚଳରେ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନରେ ରହୁଥିବା ଜଣେ କର୍ମଚାରୀ ତା’ର ଭଡ଼ା ଘରେ କମ୍‌ଦାମ୍‌ର ବିଦେଶୀ ମଦକୁ ଅଧିକ ଦାମ୍‌ ଥିବା ବିଦେଶୀ ମଦ ବୋତଲରେ ପୁରାଇ ସିଲ୍‌ କରି ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ବିଭାଗୀୟ ନିର୍ଦ୍ଦେଶ ଅନୁସାରେ ମଦ ଦୋକାନୀ ମାଲିକ ଉକ୍ତ କର୍ମଚାରୀଙ୍କୁ ବାହାର କରିଦେଇଥିବା ପ୍ରକାଶ କରିଥିଲେ।

Share