ବାଲେଶ୍ୱର-ବାଙ୍ଗିରିପୋଷି ଡିଏମ୍‌ୟୁରେ ନିଆଁ

ବାରିପଦା ଅଫିସ,୪ା୧୨- ବାଲେଶ୍ୱର -ବାଙ୍ଗିରିପୋଷି ଡିଏମ୍‌ୟୁ ଟ୍ରେନ୍‌ର ବ୍ୟାଟେରି ବକ୍ସରେ ମଙ୍ଗଳବାର ନିଆଁ ଲାଗିଛି। ଶର୍ଟସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା କୁହାଯାଉଥିବା ବେଳେ ଏଥିଯୋଗୁ କୌଣସି ବିଶେଷ କ୍ଷୟକ୍ଷତି ହୋଇ ନାହିଁ। ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ଆସି ନିଆଁକୁ ଆୟତ୍ତ କରିଥିଲେ। ସୂଚନା ମୁତାବକ ଏହି ଟ୍ରେନ (ନଂ.୭୮୦୧୫) ମଧ୍ୟାହ୍ନ ୧୨ଟା ୫୦ରେ ବାଙ୍ଗିରିପୋଷି ଷ୍ଟେଶନରୁ ବାଲେଶ୍ୱର ଅଭିମୁଖେ ଛାଡ଼ିଥାଏ। ଏହି ସମୟରେ ଟ୍ରେନର ବ୍ୟାଟେରି ବକ୍ସରୁ ଧୂଆଁ ବାହାରୁଥିଲା। ଏହା ଦେଖି ଯାତ୍ରୀମାନେ ତୁରନ୍ତ ଷ୍ଟେଶନ ମାଷ୍ଟରଙ୍କୁ ସୂଚନା ଦେଇଥିଲେ। ନିଆଁକୁ ଆୟତ୍ତ କରିବା ପରେ ଟ୍ରେନଟି ଅପରାହ୍ନ ପ୍ରାୟ ୩ଟା ବେଳେ ଷ୍ଟେଶନ ଛାଡ଼ିଥିଲା।