ବାଲେଶ୍ୱର ଭିଜିଲାନ୍ସ, ବନବିଭାଗର ଚଢ଼ାଉ: ମୂଲ୍ୟବାନ କାଠ ସହ ଗାଡ଼ି ଜବତ

ସଜନାଗଡ଼, ୨୪।୯(ଡି.ଏନ.ଏ.)-ବାଲେଶ୍ୱର ଭିଜିଲାନ୍ସ ଓ ନୀଳଗିରି ବନବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଏକ ଚୋରା କାଠ ବୋଝେଇ ପିକଅପ୍‌ ଭ୍ୟାନ୍‌ (ନଂ. ଓଆର୍‌୦୧ଏ-୩୨୪୬) ଜବତ ହୋଇଛି। ଏହି ପିକଅପ୍‌ ଭ୍ୟାନ୍‌ରେ ଚୋରାକାଠ ବୋଝେଇ ହୋଇ ଝରଣା ଘାଟିଆଡୁ ଆସୁଥିତ୍ବାର ବାଲେଶ୍ୱର ଭିଜିଲାନ୍ସ ବିଭାଗ ନୀଳଗିରି ଅବକାରୀ ବନବିଭାଗକୁ ସାଙ୍ଗରେ ନେଇ ପୂର୍ବ ଯୋଜନା ମୁତାବକ ଜଗି ରହିଥିଲା। ଗାଡ଼ିଟି ଦ୍ରୁତଗତିରେ ଆସୁଥିବା ବେଳେ ଆମ୍ବୁଡ଼ିହା ନିକଟ ଗଡ଼ିଆମାଳଠାରେ ଅଟକାଯାଇଥିଲା। ହେଲେ ଡ୍ରାଇଭର ଫେରାର ହୋଇଯାଇଥିଲେ। ତେବେ କାଠଗୁଡ଼ିକୁ ଜବତ କରି ନୀଳଗିରି ବନବିଭାଗ ଅଫିସକୁ ଆଣିଥିବା ବେଳେ ପିକ୍‌ଅପ୍‌ ଭ୍ୟାନ୍‌ରେ ୬୨ ସିଫ୍ଟ ଶିଶୁ ଓ ଶିରିଷା କାଠ ଥିବା ଜଣାପଡ଼ିଛି। କାଠଗୁଡ଼ିର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ଚଢ଼ାଉରେ ଭିଜିଲାନ୍ସ ରେଞ୍ଜର ଶ୍ୟାମ ସିଂ, ଭିଜିଲାନ୍ସ ଇନ୍ସ୍‌ପେକ୍ଟର ସିକନ୍ଦର ହେମ୍ବ୍ରମ, ନୀଳଗିରି ରେଞ୍ଜର ସୁକୁମାର ଦାସ, ଭିଜିଲାନ୍ସ କନଷ୍ଟେବଳ ଶଶିଚନ୍ଦ୍ର ଦାସ, ମନୋରଞ୍ଜନ ବେହେରା, ସରୋଜ ମହାନ୍ତି, ପିକେ ଦଣ୍ଡପାଟ, ଫରେଷ୍ଟର ଦେବରାଜ ରାଉତ, ଗଣେଶ୍ୱର ଲେଙ୍କା, ସରୋଜ ପ୍ରଧାନ, ଫରେଷ୍ଟଗାର୍ଡ ଭଜମୋହନ ସିଂ ପ୍ରମୁଖ ସାମିଲ ଥିଲେ।