ବାଲେଶ୍ୱର ଷ୍ଟେଶନରେ ଟ୍ରେନ୍‌ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ବାଲେଶ୍ୱର ଅଫିସ, ୨୨।୩-କରୋନା ସଂକ୍ରମଣ ଭୂତାଣୁକୁ ରୋକିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ରେଳଷ୍ଟେଶନରେ ଟ୍ରେନ୍‌ରେ ଆସୁଥିବା ଯାତ୍ରୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟଙ୍କ ତତ୍ତ୍ୱାବଧାନରେ ରବିବାର ପୂର୍ବାହ୍ନ ୧୦ଟାରେ ବାଲେଶ୍ୱର ରେଳଷ୍ଟେଶନ ପରିସରରେ ଆରମ୍ଭ ହୋଇ ପ୍ରଥମ ଦିନରେ ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହା ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ପ୍ରତିଦିନ ୩ଟି ସିଫ୍ଟରେ ଏହି ସେବା ଉପଲବ୍ଧ ରହିବ। ପ୍ରତି ସିଫ୍ଟରେ ୪ଜଣ ଡାକ୍ତର, ୨ଜଣ ନର୍ସ ଓ ୨ଜଣ ଫାର୍ମାସିଷ୍ଟଙ୍କୁ ମୁତୟନ କରାଯାଇଛି। ଟ୍ରେନ୍‌ ଯୋଗେ ବାଲେଶ୍ୱରକୁ ଆସୁଥିବା ଯାତ୍ରୀଙ୍କ ଥଣ୍ଡା, ଜ୍ୱର, କାଶ, ଛିଙ୍କ ଭଳି ଅବସ୍ଥା ଦେଖିଲେ ପ୍ରଥମେ ପରୀକ୍ଷା କରାଯାଉଛି। କରୋନା ଭୂତାଣୁ ଆକ୍ରାନ୍ତର କୌଣସି ସୂଚନା ମିଳିଲେ ଉକ୍ତ ବ୍ୟକ୍ତିଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ପଠାଯାଇ ସ୍ବତନ୍ତ୍ର ଚିକିତ୍ସା କରାଯିବା ବ୍ୟବସ୍ଥା କରାଯାଇଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି।