ବାଲେଶ୍ୱର ଷ୍ଟେଶନରେ ପହଞ୍ଚିଲେ ୩୦୬୨

ବାଲେଶ୍ୱର ଅଫିସ, ୧୫।୫-ବାଲେଶ୍ୱର ରେଳଷ୍ଟେଶନରେ ଗୁରୁବାର ୪ଟି ସ୍ବତନ୍ତ୍ର ଟ୍ରେନ ଯୋଗେ ୩୦୬୨ ପ୍ରବାସୀ ପହଞ୍ଚିଛନ୍ତି। ସମସ୍ତ ପ୍ରବାସୀ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର।
ପ୍ରଥମ ଟ୍ରେନ ଗୁଜରାଟ ମରବୀ ଷ୍ଟେଶନରୁ ବାହାରି ଅପରାହ୍ନ ୪ଟାରେ ବାଲେଶ୍ୱର ରେଳଷ୍ଟେଶନରେ ପହଞ୍ଚିଥିଲା। ସେଥିରେ ବାଲେଶ୍ୱର ଜିଲାର ୯୬୦ ଓ ମୟୂରଭଞ୍ଜ ଜିଲାର ୬୧ ପ୍ରବାସୀ ଓଡ଼ିଆ ଅଛନ୍ତି। ଦ୍ୱିତୀୟ ଟ୍ରେନ୍‌ ମରବୀ ଷ୍ଟେଶନରୁ ବାଲେଶ୍ୱର ରେଳଷ୍ଟେଶନରେ ରାତି ୮ଟାରେ ପହଞ୍ଚିଥିଲା। ଏଥିରେ ବାଲେଶ୍ୱର ଜିଲାର ୯୪୩ ଓ ମୟୂରଭଞ୍ଜ ଜିଲାର ୭୨ ପ୍ରବାସୀ ଅଛନ୍ତି। ତୃତୀୟ ଟ୍ରେନ୍‌ ସୁରଟରୁ ବାହାରି ବାଲେଶ୍ୱର ରେଳଷ୍ଟେଶନରେ ରାତି ସାଢେ ୮ଟାରେ ପହଞ୍ଚିଥିଲା। ଏଥିରେ ବାଲେଶ୍ୱରର ୬୭୧ ଓ ମୟୂରଭଞ୍ଜର ୧୭ ପ୍ରବାସୀ ଅଛନ୍ତି। ସେହିପରି ଚତୁର୍ଥ ଟ୍ରେନ୍‌ ତାମିଲନାଡୁ ତ୍ରିପୁରାରୁ ବାହାରି ରାତି ସାଢେ ୧୦ଟା ବେଳେ ବାଲେଶ୍ୱର ରେଳ ଷ୍ଟେଶନରେ ରାତି ସାଢେ ୧୦ଟାରେ ପହଞ୍ଚିଥିଲା। ଏଥିରେ ବାଲେଶ୍ୱରର ୧୯୨ ଓ ମୟୂରଭଞ୍ଜର ୧୪୬ ଜଣ ପ୍ରବାସୀ ଓଡ଼ିଆ ପହଞ୍ଚିଥିବା ଜଣାପଡ଼ିଛି।
ପ୍ରଶାସନ ପକ୍ଷରୁ ସମସ୍ତ ପ୍ରବାସୀ ଓଡ଼ିଆଙ୍କ ଥର୍ମାଲ ଟେଷ୍ଟ କରାଯାଉଛି। ବାଲେଶ୍ୱର ଜିଲାର ୧୨ ବ୍ଲକ ପାଇଁ ପୃଥକ ଭାବେ ରେଜିଷ୍ଟ୍ରେଶନ କାଉଣ୍ଟର ଖୋଲାଯାଇଛି। ପଞ୍ଜୀକରଣ ପରେ ପରିବହନ ବିଭାଗ ପକ୍ଷରୁ ବସ୍‌ ବ୍ୟବସ୍ଥା କରାଯାଇ ନିଜ ନିଜ ପଞ୍ଚାୟତରେ ଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଛାଡ଼ିବା ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥିପାଇଁ ଜିଲା ପରିବହନ ବିଭାଗ ପକ୍ଷରୁ ୬୦ ବସ୍‌ ନିୟୋଜିତ ହୋଇଥିବା ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚୌଧୁରୀ ପ୍ରକାଶ କରିଛନ୍ତି।
ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନା, ବାଲେଶ୍ୱର ଉପଜିଲାପାଳ ନିଲୁ ମହାପାତ୍ର, ନୀଳଗିରି ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନା, ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ, ଜିଲା ନିର୍ବାଚନ ଅଧିକାରୀ ମନୋଜ କୁମାର ସେନାପତି ପ୍ରମୁଖ ପ୍ରବାସୀ ଓଡ଼ିଆଙ୍କୁ ସ୍ବାଗତ କରି ସମସ୍ତ ନିୟମାବଳୀ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋରଙ୍କ ତତ୍ତ୍ୱାବଧାନରେ ୩ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୫ ଜଣ ଅଧିକାରୀ ସୁରକ୍ଷା ଓ ଶାନ୍ତିଶୃଙ୍ଖଳାରେ ନିୟୋଜିତ ହୋଇଥିଲେ। ପଞ୍ଜିକରଣ ପାଇଁ ଶହେରୁ ଉର୍ଦ୍ଧ୍ୱ ଶିକ୍ଷୟିତ୍ରୀ ଓ ଶିକ୍ଷକ ସହାୟତା କରିବା ସହିତ ଏକ ଡାକ୍ତରୀ ଦଳ ଚିକିତ୍ସା ପାଇଁ ନିୟୋଜିତ ଥିଲେ।