ବାଲେଶ୍ୱର ସଂକ୍ରମିତଙ୍କ ସଂସ୍ପର୍ଶରେ ଜଣେ ସ୍ବାସ୍ଥ୍ୟକର୍ମୀ: ସାନିଟାଇଜ୍‌ ହେଲା ସନ୍ତରାଗଡ଼ିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ସଜନାଗଡ଼, ୧୯।୪(ଡି.ଏନ.ଏ.)-ଓଡ଼ିଶାର ୬୧ନଂ. କରୋନା ସଂକ୍ରମିତ ବାଲେଶ୍ୱର ସହରର ବୋଲି ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିବା ପରେ ଜିଲା ପ୍ରଶାସନ ତତ୍ପର  ହୋଇଉଠିଛି। ଏହି ସମୟ ମଧ୍ୟରେ ସଂକ୍ରମିତ ବ୍ୟକ୍ତି କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହାର ତଥ୍ୟ ସଂଗ୍ରହ କରାଯାଉଛି। ନୀଳଗିରି ଉପଖଣ୍ଡ ଅଧିନ ସନ୍ତରାଗଡ଼ିଆ ମାର୍କେଟ୍‌ରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ସ୍ବାସ୍ଥ୍ୟକର୍ମୀ ବାଲେଶ୍ୱର କରୋନା ସଂକ୍ରମିତଙ୍କ ସମ୍ପର୍କୀୟ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। କରୋନାରେ ସଂକ୍ରମିତ ହୋଇଥିବା ସମ୍ପର୍କୀୟଙ୍କୁ ଦେଖା କରିବା ପାଇଁ ସେ ୧୧ତାରିଖରେ ଯାଇଥିଲେ। ଫେରିବା ପରେ ସେ ପଞ୍ଚାୟତ କାର୍ଯ୍ୟାଳୟ, ଡାକ୍ତରଖାନା ଓ କ୍ୱାରାଣ୍ଟାଇନ୍‌ କେନ୍ଦ୍ରକୁ ଯାଇଥିବା ସୂଚନା ମିଳିଥିଲା। ପରେ ନୀଳଗିରି ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶରେ ନୀଳଗିରି ଅଗ୍ନିଶମ ବିଭାଗ ଅଧିକାରୀ ଓ ନୀଳଗିରି ଥାନାଅଧିନ ଈଶ୍ୱରପୁର ଫାଣ୍ଡି ଅଧିକାରୀଙ୍କ ନେତୃତ୍ୱରେ ସନ୍ତରାଗଡ଼ିଆ ପ୍ରାଥମିକ କେନ୍ଦ୍ର ସମେତ ପଞ୍ଚାୟତ କାର୍ଯ୍ୟାଳୟ, ଡାକ୍ତରଖାନା, କ୍ୱାରାଣ୍ଟାଇନ୍‌ କେନ୍ଦ୍ର ସମେତ ଆଖପାଖ ଅଞ୍ଚଳକୁ ଅଗ୍ନିଶମ ବିଭାଗ ଦ୍ୱାରା ରବିବାର ସାନିଟାଇଜ୍‌ କରାଯାଇଛି। ଏହାବ୍ୟତୀତ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ପଠାଯାଇଥିବା ଉପଜିଲାପାଳ ଜେନା କହିଛନ୍ତି।