ବାଲେଶ୍ୱର ସହରରେ ଲାଗିଛି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିଖୋଜ ପୋଷ୍ଟର

ବାଲେଶ୍ୱର ଅଫିସ,୩୧ା୫: ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଖୋଜ ହୋଇଥିବା ପୋଷ୍ଟର ରବିବାର ପୂର୍ବାହ୍ନରେ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଦେଖିବାକୁ ମିଳିଛି। ପୋଷ୍ଟରଟି ଇଂରାଜୀ ଭାଷାରେ ଲିଖିତ। ‘ ଆମର ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ନିଖୋଜ’ ଦୟାକରି ଖୋଜିବାରେ ସାହାଯ୍ୟ କରନ୍ତୁ। ବାଲେଶ୍ୱର ଅଧିବାସୀ’(ଅନୁବାଦ)। ଏହାକୁ ନେଇ ସହରବାସୀ କିଛି ସମୟ ପାଇଁ ଭୟଭୀତ ହୋଇଯାଇଥିଲେ। କିନ୍ତୁ ଧୀରେଧୀରେ ଏହି ପୋଷ୍ଟର ଲଗାଯିବାର ରହସ୍ୟ ପଦାକୁ ଆସିବାରେ ଲାଗିଛି। ମହାମାରୀ କରୋନା ଏବଂ ଅମ୍ଫନ୍‌ ଭଳି ମହାବାତ୍ୟା ବିପତ୍ତି ସମୟରେ ଜିଲାବାସୀ ଏମ୍‌ପିଙ୍କୁ ଦେଖିବାକୁ ପାଇନାହାନ୍ତି। ଅନ୍ୟପକ୍ଷରେ ବିରୋଧୀଦଳ ନେତାମାନେ ଉପସ୍ଥିତ ରହି ବିଭିନ୍ନ ସହଯୋଗ କରିବାରେ ଲାଗିଛନ୍ତି । ମନ୍ତ୍ରୀଙ୍କୁ ବଦ୍‌ନାମ କରିବା ପାଇଁ ଏହା ଏକ ସୁପରିକଳ୍ପିତ ଯୋଜନା ମଧ୍ୟ ହୋଇଥିବାର ସହରରେ ଆଲୋଚନା ହେଉଛି।
ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କୁହନ୍ତି, କରୋନା ମହାମାରୀ ପାଇଁ ସରକାରଙ୍କ ନିର୍ଦ୍ଦେଶରେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ପୂର୍ବରୁ ଏମ୍‌ପି ଅଧିବେଶନ ଚାଲିଥିଲା। ଏଭଳି ପରିସ୍ଥିତିରେ କୌଣସି କାରଣରୁ ବାଲେଶ୍ୱର ଫେରିବା ସମ୍ଭବ ହୋଇପାରିଲାନି। କିନ୍ତୁ ଦିଲୀରେ ରହି ସରକାରୀ ସହାୟତା ସହିତ ବ୍ୟକ୍ତିଗତ ଭାବରେ ପ୍ରାୟ ୨୦ ହଜାର ଲୋକଙ୍କୁ ସହାୟତା କରିଛନ୍ତି। ବିଭିନ୍ନ ରୋଗର ଆକ୍ରାନ୍ତଙ୍କୁ ସାହାଯ୍ୟ କରାଚାଲିଛି । ନିଖୋଜ ପୋଷ୍ଟର ଲଗାଇଲେ ବିରୋଧୀଙ୍କ କୌଣସି ସୁଫଳ ମିଳିବ ନାହିଁ। ଆହୁରି ମଧ୍ୟ କହିଛନ୍ତି ଯେ, ବହୁତ ଦିନ ତାଙ୍କୁ ତାଙ୍କ ମା’ ନ ଦେଖିଲେ ଖୋଜନ୍ତି। ମା’ଙ୍କ ମୃତ୍ୟୁ ପରେ ବାଲେଶ୍ୱର ବାସୀଙ୍କ ଏପରି ବ୍ୟବହାର ଶୁଭମୟ ବୋଲି ସେ ପ୍ରକାଶ କରିଛନ୍ତି।

Share