Categories: ଜାତୀୟ

ବାଲ୍ୟବିବାହକୁ ରୋକିବା ପାଇଁ ଆସାମ ସରକାରଙ୍କ ନୂଆ ଯୋଜନା: ବିବାହରେ କନ୍ୟାଙ୍କୁ ଦେବେ ୧ ତୋଳା ସୁନା

ଗୁଆହାଟୀ,୨୦।୧୧: ରାଜ୍ୟରେ ବାଲ୍ୟବିବାହ ରୋକିବା ପାଇଁ ଆସାମ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଅରୁନ୍ଧତୀ ସ୍କିମ୍‌ରେ ବିବାହ ସମୟରେ କନ୍ୟାଙ୍କୁ ମାଗଣାରେ ୧ ତୋଳା ସୁନା ଦେବେ ସରକାର। ମଙ୍ଗଳବାର ସନ୍ଧ୍ୟାରେ ଗୁଆହାଟୀରେ ବସିଥିବା କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଏହି ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆର୍ଥିକ ସ୍ବଚ୍ଛଳ ନ ଥିବା ପରିବାର ଏହି ସ୍କିମରେ ଅନ୍ତର୍ଭୁକ୍ତ ହୋଇପାରିବେ। ବାଲ୍ୟବିବାହ ନିଷେଧ ଅଧିନିୟମ ଅନୁସାରେ ଭାରତରେ କୌଣସି ଯୁବତୀ ୧୮ ବର୍ଷ ପୂର୍ବରୁ ଓ ଯୁବକ ୨୧ ବର୍ଷ ପୂର୍ବରୁ ବିବାହ କରିପାରିବେ ନାହିଁ। ଯଦି ବୟସ ପୂର୍ବରୁ ବିବାହ କରନ୍ତି ତେବେ ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ। ବାଲ୍ୟବିବାହ ରୋକିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ଉକ୍ତ ବୈଠକରେ ଆଉ ଏକ ନିଷ୍ପତ୍ତି ନିଆଯାଇଥିଲା। ସମସ୍ତ କାର୍ଯ୍ୟାଳୟରେ ସାନିଟାରି ନାପକିନ୍‌ ରଖିବା ବାଧ୍ୟତାମୂଳକ ବୋଲି ଉଦ୍ୟୋଗମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Share