Advertisement

ବାଲ୍ୟବିବାହ ବିରୋଧୀ ଫୋରମର ଶୁଭାରମ୍ଭ

ଫୁଲବାଣୀ ଅପିସ,୨୬ା୮-ଜିଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ପ୍ରଶାସନ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ମିଳିତ ଭାବେ ପ୍ରୟାସ ଆରମ୍ଭ କରିଛନ୍ତି। ଜିଲାପାଳ ଡା. ବୃନ୍ଦା ଡିଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଫୋରମର ଶୁଭାରମ୍ଭ ହୋଇଛି। ପ୍ରତ୍ୟକ ସମ୍ପ୍ରଦାୟର ମୁଖ୍ୟମାନେ ସେମାନଙ୍କ ସମାଜରେ ବାଲ୍ୟ ବିବାହକୁ ନା କହିଲେ ଜିଲାରେ ଏହାକୁ ରୋକାଯାଇ ପାରିବ ବୋଲି କହିଥିଲେ ଜିଲାପାଳ। ଏଥିପାଇଁ ସରକାରୀ ସ୍ତରରେ ମଧ୍ୟ ଉଦ୍ୟମ କରାଯାଉଛି। ପ୍ରତି ଶିକ୍ଷାନୁଷ୍ଠାନ ଗ୍ରାମ ବୈଠକ, ଗାଁ କଲ୍ୟାଣ ସମିତି, ପଞ୍ଚାୟତ ସମିତି ବୈଠକ, ସ୍ବୟଂ ସହାୟକ ଗୋଷ୍ଠି ବୈଠକରେ ଏନେଇ ସଚେତନତା ସୃଷ୍ଟି କରାଯାଉଛି। ତେଣୁ ଆଶା କରାଯାଉଛି ଆଗମୀ ୨ରୁ ୩ ବର୍ଷ ମଧ୍ୟରେ ଜିଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଭାବେ ରୋକାଯାଇ ପାରିବ। ସମସ୍ତ ସମ୍ପ୍ରଦାୟ ଓ ସଂଗଠନର ମୁଖ୍ୟମାନଙ୍କୁ ନେଇ ଏକ ହ୍ବାଟ୍ସଅପ ଗ୍ରୁପ୍‌ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ବୈଠକରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଓ ବାଲିଗୁଡା ବିଧାୟକ ଚକ୍ରମଣି କହଁର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ବୈଠକ ପ୍ରାରମ୍ଭରେ ଆକ୍ସନଆଡ୍‌ର ନିର୍ଦ୍ଦେଶକ ବି. ଏନ୍‌. ଦୁର୍ଗା ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିଥିଲେ। ଚାଇଲ୍ଡ ଲାଇନ ଜିଲା ସଂଯୋଜକ ଦୋଳଗୋବିନ୍ଦ ମହାରାଣା ବାଲ୍ୟ ବିବାହର କାରଣ ଓ ଏନେଇ ଥିବା ଦଣ୍ଡ ବିଧାନ ଉପରେ ବୁଝାଇଥିଲେ। ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋସ୍ବିନୀ ମିଶ୍ର ସଂଯୋଜନା କରିଥିଲେ। ଆକ୍ସନଆଡର ଜିଲା ସଂଯୋଜିକା ସ୍ବାତୀ ତନୟା ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିବାବେଳେ ପିଡି ବିଶ୍ୱନାଥ ବାରିକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରଣ ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share