Advertisement

ବାଲ୍ୟ ବିବାହ ଏକ ଦଣ୍ଡନୀୟ ଅପରାଧ। ଏଥିପାଇଁ ଜନ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି। ସରକାରୀ ନୀତି ନିୟମ ମଧ୍ୟ ପ୍ରଣୟନ ହେଉଛି। ପୋଲିସ ପ୍ରଶାସନ ବି ଏପରି ଅପରାଧ ବନ୍ଦ ପାଇଁ ତତ୍ପର। ହେଲେ ଏବେ ବି ସାରା ରାଜ୍ୟରେ ବାଲ୍ୟ ବିବାହ ଏକ ସମସ୍ୟା ହୋଇ ଠିଆ ହୋଇଛି। ଆଉ ରାୟଗଡ଼ା ଜିଲାରେ ଏହି ସ୍ଥିତି ଚିନ୍ତାଜନକ। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟର ସଦ୍ୟ ତଥ୍ୟ ଅନୁସାରେ ଜିଲାରେ ୩୪.୪ ପ୍ରତିଶତ ବାଲ୍ୟ ବିବାହ ହେଉଛି। ରାଜ୍ୟରେ ରାୟଗଡ଼ା ଜିଲା ବାଲ୍ୟ ବିବାହରେ ୫ମ ସ୍ଥାନରେ ରହିଛି। ବିଶେଷ ଭାବେ ଗ୍ରାମାଞ୍ଚଳରେ ଏପରି ବିବାହ ଦିନକୁ ଦିନ ବଢ଼ି ଚାଲିଛି। ଯାହା ଲୋକଲୋଚନକୁ ଆସିପାରୁନାହଁି। ଜିଲାରେ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ପ୍ରାୟ ୬୩ ପ୍ରତିଶତ ପରିବାରରେ ବାଲ୍ୟ ବିବାହ ଏକ ସାଧାରଣ କଥାରେ ପରିଣତ ହୋଇଛି। ଆର୍ଥତ୍କ ସ୍ବଚ୍ଛଳ ଥିବା ପରିବାରରେ ୩୩ ପ୍ରତିଶତ ବାଲ୍ୟ ବିବାହ ହେଉଛି। ୬୮ ପ୍ରତିଶତ ନିରକ୍ଷର ପରିବାର ଓ ୩୫ ପ୍ରତିଶତ ସାକ୍ଷର ପରିବାରରେ ଏହି ବିବାହ ଚାଲିଛି। ବାଲ୍ୟ ବିବାହ ଯୋଗୁ ନାବାଳିକାମାନେ ନିଜର ସ୍ବାଧୀନତା, ସ୍ବାସ୍ଥ୍ୟ, ଶିକ୍ଷା ଓ ସୁରକ୍ଷା ଇତ୍ୟାଦି ଭଳି ଗୁରୁତର ମୌଳିକ ଅଧିକାର ହରାଉଛନ୍ତି। ନାବାଳକମାନେ ପାରିବାରିକ ବୋଝ ତଳେ ଚାପି ହୋଇଯାଉଛନ୍ତିି। ଏଥିଯୋଗୁ ସାମାଜିକ ଅସ୍ଥିରତା ଦେଖାଯାଉଛି। ସେହିପରି ବାଲ୍ୟ ବିବାହ ଯୋଗୁ ଜଣେ ନାବାଳିକା ଗର୍ଭଧାରଣ ଓ ପ୍ରସବ ସମୟରେ ୬୭ ପ୍ରତିଶତ ଗୁରୁତର ଭାବେ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ରିପୋର୍ଟ କହୁଛି। ଏଥିସହ ପାରିବାରିକ ଅଶାନ୍ତି, ବିବାହ ବିଚ୍ଛେଦ ଭଳି ଅନେକ ସାମାଜିକ ସମସ୍ୟା ବଢ଼ି ଚାଲିଛି। ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କୁ ମଧ୍ୟ ପରିବାର ଲୋକେ ବୋଝ ଭାବି କମ୍‌ ବୟସରୁ ବିବାହ କରିବାକୁ ବାଧ୍ୟ ହେଉଛନ୍ତି। ବାଲ୍ୟବିବାହ ନିରୋଧକ ଆଇନ ୨୦୦୬ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ରାୟଗଡ଼ା ଜିଲାରେ କାହାକୁ ଦଣ୍ଡ ନ ମିଳିବା ପ୍ରଶାସନର ଏକ ବଡ଼ ବିଫଳତା ବୋଲି ଅଭିଯୋଗ ହୋଇଛି। ରାଜ୍ୟ ସରକାରଙ୍କ ଉଦ୍ୟମକ୍ରମେ ଚଳିତ ବର୍ଷ ରାୟଗଡ଼ା ଜିଲାରେ ବାଲ୍ୟ ବିବାହକୁ ବିରୋଧ କରି ୨.୨୫ ଲକ୍ଷ ଜନସାଧାରଣ ଓ ୧.୫ ଲକ୍ଷ ଛାତ୍ରୀଛାତ୍ରଙ୍କୁ ନେଇ ଏକ ମାନବ ଶୃଙ୍ଖଳ କରାଯାଇଥିଲା। ନିଶ୍ଚିତ ଭାବେ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। ଜିଲା ପ୍ରଶାସନ ଏପରି ପଦକ୍ଷେପକୁ ନେଇ ପୁରସ୍କୃତ ହୋଇଥିଲା। ଏବେ ଜିଲା ପ୍ରଶାସନ ଗ୍ରାମାଞ୍ଚଳ ଲୋକଙ୍କୁ ଏଥିପାଇଁ ସଚେତନ କରିବା ଜରୁରୀ ହୋଇପଡିଛି। ଏଥିପ୍ରତି ସମସ୍ତଙ୍କ ଉଦ୍ୟମ ସଫଳତା ଆଣିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share