Categories: ଜାତୀୟ

ବାଲ୍‌ ଠାକ୍‌ରେଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜନୀତି

ମୁମ୍ବାଇ,୧୮ା୧୧(ପି.ଟି.): ଶିବସେନା ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀରେ ରବିବାର ଉଭୟ ଭାଜପା ଓ ଶିବସେନା ନେତାମାନେ ଶିବାଜୀ ପାର୍କ ଯାଇ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତେବେ ଉଭୟ ଦଳର ନେତା ପରସ୍ପରଠାରୁ ଦୂରେଇ ରହିବାକୁ ଉଦ୍ୟମ କରୁଥିବା ଦେଖାଯାଇଥିଲା। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିଲାବେଳେ କେତେଜଣ ଶିବସେନା କର୍ମୀ ତାଙ୍କର ନିର୍ବାଚନ ବେଳର ସ୍ଲୋଗାନ ଦେଇଥିଲେ। ସେ କୌଣସି ପ୍ରତିକ୍ରିୟା ନ ଦେଖାଇ ସେଠାରୁ ଫେରିଥିଲେ। ଫଡ୍‌ନବିସ ଓ ଅନ୍ୟ ଭାଜପା ନେତାମାନେ ଯାଇଥିଲାବେଳେ ଶିବାଜୀ ପାର୍କରେ ଉଦ୍ଧବ ଠାକ୍‌ରେଙ୍କ ବ୍ୟକ୍ତିଗତ ସହକାରୀ ମିଲିନ୍ଦ ନର୍ଭେକରଙ୍କ ବ୍ୟତୀତ ଶିବସେନାର କୌଣସି ନେତା ନ ଥିଲେ। ଶିବସେନା ନେତାମାନେ ପୂର୍ବାହ୍ନ ୧୦ଟାରୁ ୧୨ଟା ମଧ୍ୟରେ ଶିବାଜୀ ପାର୍କ ଯାଇଥିଲାବେଳେ ଫଡ୍‌ନବିସ, ବିନୋଦ ତାଓ୍ବଡେ, ପଙ୍କଜା ମୁଣ୍ଡେ ପ୍ରମୁଖ ଅପରାହ୍ନ ୧ଟା ପରେ ଯାଇଥିଲେ। ପୂର୍ବାହ୍ନରେ ଉଦ୍ଧବ ଠାକ୍‌ରେଙ୍କ ସହ ତାଙ୍କ ପରିବାର ସଦସ୍ୟ, ନବନିର୍ବାଚିତ ଶିବସେନା ବିଧାୟକ ଓ ଦଳର ଅନ୍ୟ ନେତାମାନେ ଯାଇ ବାଲାସାହେବଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ, ଉଭୟ ଦଳ ମିଳିତ ଭାବେ ବିଧାନସଭା ନିର୍ବାଚନ ଲଢ଼ିଥିଲାବେଳେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ମତାନ୍ତର ହେବାରୁ ଶିବସେନା ଭାଜପାଠାରୁ ସମ୍ପର୍କ ଛିନ୍ନ କରିଛି। ସରକାର ଗଠନ ଲାଗି ଶିବସେନା ଏବେ କଂଗ୍ରେସ ଏବଂ ଏନ୍‌ସିପି ସହ ଆଲୋଚନା ଚଳାଇଛି।

Share