Categories: ମେଟ୍ରୋ

ବାଳକାଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଖୋଲିଲା କରୋନା ସ୍ବାବ କେନ୍ଦ୍ର, ପ୍ରଥମ ଦିନରେ ୫ ସନ୍ଦିଗ୍ଧଙ୍କ ସ୍ବାବ ସଂଗ୍ରହ

ବାଳକାଟୀ,୧ା୪(ଡି.ଏନ୍‌.ଏ)- ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକର ବାଳକାଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ଥାନୀୟ ସରଦେଇପୁରସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ କରୋନା ସନ୍ଦିଗ୍ଧଙ୍କ ସ୍ବାବ ସଂଗ୍ରହ ପାଇଁ ବୁଧବାର ଏକ ଲାବରେଟୋରି ଖୋଲାଯାଇଛି। ଖୋଲିବାର ପ୍ରଥମ ଦିନରେ ବ୍ଲକ ଅଞ୍ଚଳରେ ଥିବା ୫ଜଣ ସନ୍ଦିଗ୍ଧ ଯୁବକଙ୍କ ସ୍ବାବ ସଂଗ୍ରହ କରାଯାଇ ଭୁବନେଶ୍ୱର ଏମ୍ସସ୍ଥିତ କରୋନା ଲାବରେଟୋରିକୁ ପରୀକ୍ଷଣ ପାଇଁ ପଠାଯାଇଛି। ଏହି ୫ଜଣ ସନ୍ଦିଗ୍ଧଙ୍କ ମଧ୍ୟରେ ରାଜ୍ୟର ତୃତୀୟ ସଂକ୍ରମିତ ଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଭୁବନେଶ୍ୱରର କର କ୍ଲିନିକରେ କାର୍ଯ୍ୟ କରୁଥିବା ୩ଜଣ ଏବଂ ବାଳକାଟୀ ନିକଟସ୍ଥ ସାତକୋଶିଆ ଗ୍ରାମକୁ ଦିଲ୍ଲୀରୁ ନିକଟରେ ଫେରିଥିବା ୨ଜଣ ଯୁବକଙ୍କର ବୋଲି ବାଳକାଟୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡା.ତନ୍ମୟ ତ୍ରିପାଠୀ ସୂଚନା ଦେଇଛନ୍ତି। ଏହି ସ୍ବାବ ସଂଗ୍ରହ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣେ ମାଇକ୍ରୋ ବାୟୋଲୋଜିଷ୍ଟଙ୍କୁ ନିଯୁକ୍ତ କରାଯାଇଛି। ବାଳକାଟୀରେ ସ୍ବାବ କେନ୍ଦ୍ର ହେବା ଦ୍ୱାରା ଆଖପାଖ ଅଞ୍ଚଳର ସଂକ୍ରମିତଙ୍କୁ ପରୀକ୍ଷା ପାଇଁ ଆଉ ଭୁବନେଶ୍ୱର ଧାଇଁବାକୁ ପଡ଼ିବ ନାହିଁ ବୋଲି ଡା. ତ୍ରିପାଠୀ କହିଛନ୍ତି।

Share