ବାଳାଶ୍ରମରୁ ୧୩ ଅନ୍ତେବାସୀ ନିଖୋଜ: ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ଚର୍ଚ୍ଚା

ବ୍ରହ୍ମପୁର ଅଫିସ,୭।୧: ଗଞ୍ଜାମ ଜିଲା ବ୍ରହ୍ମପୁର ଗୋଶାଣିନୂଆଗାଁଠାରେ ଥିବା ଉତ୍କଳ ବାଳାଶ୍ରମରୁ ସୋମବାର ବିଳମ୍ବିତ ରାତିରେ ୧୩ ଜଣ ଅନ୍ତେବାସୀ ନିଖୋଜ ହୋଇଯାଇଛନ୍ତି । ଏନେଇ ମଙ୍ଗଳବାର ବାଳାଶ୍ରମ ସୁପରିଣ୍ଟେଣ୍ଡେଣ୍ଟ ଗୋଶାଣିନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି।
ଅନ୍ୟପଟେ ଉକ୍ତ ବାଳାଶ୍ରମରୁ ଅନ୍ତେବାସୀ ବାରମ୍ବାର ନିଖୋଜ ହେଉଥିବା ବେଳେ ଏହାକୁ ନେଇ ଏବେ ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣା ପରେ ଉକ୍ତ ବାଳାଶ୍ରମ ଦାୟିତ୍ୱରେ ଥିବା ସୁପରିଣ୍ଟେଣ୍ଡେଣ୍ଟ ସସ୍ମିତା ରାଣୀ ପାଢ଼ୀଙ୍କ ସହ ଯୋଗାଯୋଗ ବେଳେ ତାଙ୍କଠାରୁ କୌଣସି ଉତ୍ତର ମିଳିପାରିନାହିଁ। ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ଏଭଳି ଘଟଣା ସେଠାରେ ବାରମ୍ବାର ଘଟୁଛି । ବାଳାଶ୍ରମରେ ରହୁଥିବା ଅନ୍ତେବାସୀଙ୍କ ସମସ୍ୟା ଉପରେ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନ ଥିବା ବେଳେ ନାବାଳିକାମାନେ ମାନସିକ ଚାପରେ ରହୁଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ, ନିଖୋଜ ୧୩ ଜଣ ଅନ୍ତେବାସୀ ନିକଟରେ ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇ ଉତ୍କଳ ବାଳାଶ୍ରମରେ ରହିଥିଲେ ।

Share