ଭୁବନେଶ୍ୱର/ବାସୁଦେବପୁର ୨୨।୪(ବ୍ୟୁରୋ/ଡି.ଏନ୍.ଏ.): ଭଦ୍ରକ ଜିଲାରେ ପୁଣି ୩ କରୋନା ପଜିଟିଭ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ବାସୁଦେବପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ତେବେ ଏହାର ୯ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ୯ଟି ପଞ୍ଚାୟତର ୨୨ଟି ଗାଁକୁ ୪ଟି ଜୋନ୍ରେ ଭାଗ କରି କଣ୍ଟେନମେଣ୍ଟ ଅଞ୍ଚଳଭାବେ ଘୋଷଣା କରାଯାଇଛି।
ଜୋନ-୧ରେ ପଦ୍ମପୁର, ଲୁଙ୍ଗା, ସୁଗୋ ଓ ଏରତାଳ ପଞ୍ଚାୟତ ରହିଥିବା ବେଳେ ଜୋନ-୨ରେ ଖରିଡ଼ା ବିନାୟକପୁର ଓ ଗୁଆଗା ପଞ୍ଚାୟତ ରହିଛି। ସେହିପରି ଜୋନ-୩ରେ ଲକ୍ଷ୍ମୀଦାସପୁର ଓ ବାଲିମେଦ ପଞ୍ଚାୟତ ରହିଥିବା ବେଳେ ଜୋନ-୪ରେ ଅଧୁଆନ ପଞ୍ଚାୟତ ରହିଛି। ସମ୍ପୃକ୍ତ ଅଞ୍ଚଳକୁ କେହି ଯାଇ ପାରିବେ ନାହିଁ କି ସେଠାରୁ କେହି ଆସି ପାରିବେ ନାହିଁ। ସମ୍ପୃକ୍ତ ଅଞ୍ଚଳର ବାସିନ୍ଦାକୁ ଘରୁ ନ ବାହାରିକାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯିବ। ସମ୍ପୃକ୍ତ ଜିଲାରେ ଥିବା ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ।