ବାସୁଦେବପୁର ସୁନା ଦୋକାନରେ କର୍ନାଟକ ପୋଲିସର ଚଢ଼ାଉ: ବ୍ୟବସାୟୀ ଗିରଫ

ବାସୁଦେବପୁର,୮।୧୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ଇରମ ବଜାରରେ ଏକ ସୁନା ଦୋକାନ ଉପରେ କର୍ନାଟକ ପୋଲିସ ସ୍ଥାନୀୟ ପୋଲିସ ସହାୟତାରେ ଶନିବାର ଚଢ଼ାଉ କରି ଦୋକାନୀ ଦୁଲାଳ ସାହୁଙ୍କୁ ଗିରଫ କରିଛି। ତାଙ୍କ ଠାରୁ ପୋଲିସ ୫ ଶହ ଗ୍ରାମରୁ ଉର୍ଦ୍ଧ୍ୱ ଚୋରି ସୁନା ମଧ୍ୟ ଜବତ କରିଛି।
ସୂଚନାଯୋଗ୍ୟ, ବାଙ୍ଗାଲୁରୁର କେତେକ ଅଞ୍ଚଳରୁ ଚୋରି ହୋଇଥିବା ସୁନା ଅଳଙ୍କାର ସ୍ଥାନୀୟ ନୂଆଗାଁ ଅଞ୍ଚଳରେ ଜନୈକ ଯୁବକଙ୍କ ସହାୟତାରେ ଇରମ ବଜାରର ସୁନା ବ୍ୟବସାୟୀ କିଣିଥିଲେ। ଏହି ସୁନା ଚୋରି ଓ କିଣାବିକା କ୍ଷେତ୍ରରେ କଲିକତା ଅଞ୍ଚଳର ଜଣେ ବ୍ୟବସାୟୀ ମଧ୍ୟ ସଂପୃକ୍ତ ଥିବା ପୋଲିସ ସୂତ୍ରରୁ ପ୍ରକାଶ। ପ୍ରାୟ ୩ ବର୍ଷ ଧରି ଏହି ବେଆଇନ ସୁନା ବ୍ୟବସାୟ ଚାଲିଆସୁଥିବା ପୋଲିସ ସୂଚନା ଦେଇଛି। ଘଟଣାର ତଦନ୍ତ ଚାଲିଥିବାରୁ ଅଧିକ ସୂଚନା ପରେ ଦିଆଯିବ ବୋଲି ପୋଲିସ କହିଛି।