ବାସ୍ତବ ଜୀବନରେ କୌଣସି ସୁପରହିରୋଙ୍କଠାରୁ କମ୍‌ ନୁହନ୍ତି ବଲିଉଡ୍‌ର ଏହି ‘ସିଙ୍ଗଲ ଫାଦର୍ସ’

ମୁମ୍ବାଇ: ଚଳଚ୍ଚିତ୍ରରେ ବିଭିନ୍ନ ଚରିତ୍ରରେ ଅଭିନୟ କରିବା ହେଉ ଅଥବା ନିର୍ଦ୍ଦେଶନା, ପ୍ରଯୋଜନା କ୍ଷେତ୍ରକୁ ଓହ୍ଲାଇଥିବା ବଲିଉଡ୍‌ କଳାକାରମାନେ ବାସ୍ତବ ଜୀବନରେ କେତେ ସଫଳ ତାହା ସେମାନଙ୍କ ସନ୍ତାନମାନଙ୍କୁ ଦେଖିଲେ ଜଣାପଡେ। ସେମାନଙ୍କ ମଧ୍ୟରୁ କେତେକ କଳାକାର ସିଙ୍ଗଲ୍‌ ଫାଦର୍‌ ହେବାକୁ ପସନ୍ଦ କରିଛନ୍ତି।

ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବଲିଉଡ୍‌ ଅଭିନେତା ତଥା ଲୋକପ୍ରିୟ ନିର୍ଦ୍ଦେଶକ କରନ୍‌ ଜୋହର। ୨୦୧୭ରେ କରନ୍‌ଙ୍କ ସରୋଗେସୀ ଜରିଆରେ ଜମଜ ସନ୍ତାନ ଜନ୍ମ ହୋଇଥିଲେ। ସେବେଠାରୁ ସେ ଉଭୟଙ୍କ ଯତ୍ନ ନେଉଥିବା ଦେଖିବାକୁ ମିଳେ। ସୋସିଆଲ ମିଡିଆରେ କରନଙ୍କ ପୁଅ ୟଶ ଓ ଝିଅ ରୁହିଙ୍କ ଅନେକ ଭିଡିଓ ଭାଇରାଲ ହୋଇଛି। ପ୍ରଥମେ କରନଙ୍କ ଦୁନିଆ ମା’ବାପା ଥିବା ବେଳେ ଏବେ ସେଥିରେ ଦୁଇଟି ନୂଆ ନାମ ଯୋଡି ହୋଇଥିବା ସେ କୁହନ୍ତି।

କରନ୍‌ଙ୍କ ଭଳି ବଲିଉଡ୍‌ ଅଭିନେତା ତୁଷାର କପୁର ଧ୍ୟ ସରୋଗେସୀ ମାଧ୍ୟମରେ ପୁତ୍ର ସନ୍ତାନ ଲାଭ କରିଛନ୍ତି। ୨୦୧୬ରେ ସେ ପିତା ହେବା ପରେ ସେ ବେଶ୍‌ ଉତ୍ସାହିତ ଥିବା ପ୍ରକାଶ କରିଥିଲେ। ସେହିପରି ଅଭିନେତା ରାହୁଲ ବୋଷ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ୬ଟି ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପରେ ସିଙ୍ଗଲ୍‌ ଫାଦର ଭାବେ ସେମାନଙ୍କ ଲାଳନପାଳନ କରିଆସୁଛନ୍ତି। ଏଥିପାଇଁ ସେ ବିଶେଷ ଯତ୍ନ ମଧ୍ୟ ନେଉଛନ୍ତି।
ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ ମଧ୍ୟ ସିଙ୍ଗଲ୍‌ ଫାଦର୍‌ ପାଲଟିଛନ୍ତି। ସ୍ତ୍ରୀ ସୁଜୈନଙ୍କଠାରୁ ଅଲଗା ହେବା ପରେ ମଧ୍ୟ ସେ ପିଲାମାନଙ୍କ ସହ କ୍ୱାଲିଟି ସମୟ ବିତାଇବାକୁ ପଛାନ୍ତି ନାହିଁ। ସେହିଭଳି ସ୍ତ୍ରୀ ରିନା ଦେବଙ୍କ ମୃତ୍ୟୁ ପରେ ସିଙ୍ଗଲ୍‌ ଫାଦର୍‌ ଭାବେ ଖଳ ଅଭିନେତା ତଥା ମଡେଲ ରାହୁଲ ଦେବ ପୁଅର ଯତ୍ନ ନେଇ ଆସୁଛନ୍ତି। ପୁଅ ସିର୍ଦ୍ଧାର୍ଥ ଦେବଙ୍କ ଦେଖାଶୁଣା ସେ ନିଜେ କରନ୍ତି। ୨୦୧୦ରେ ରାହୁଲ ବିଗ୍‌ ବସ୍‌ରେ ନଜର ଆସିଥିଲେ। ତେବେ ସେ ପୁଅର ପଢ଼ା ଲାଗି ପଇସା ଚାହୁଁଥିବାରୁ ଏପରି କରୁଥିବା କହିଥିଲେ।

Share