ବାସ୍ତବ ଜ୍ଞାନର ଆଲୋକ

ବରଦା ପ୍ରସନ୍ନ ଦାସ

ଯାହା ଆମକୁ ଅନୁଶାସିତ କରି ସତ୍‌ ଆଡ଼କୁ ନେଇଯାଏ ତାହା ହେଉଛି ଶାସ୍ତ୍ର। ସର୍ବ ପୁରାତନ ଶାସ୍ତ୍ର ହେଲା ବେଦ। ତାହା ସନାତନ ବା ହିନ୍ଦୁ ଧର୍ମର ଶାସ୍ତ୍ର। ତାହାକୁ ଅପୌରୁଷେୟ ବୋଲି କୁହାଯାଏ। ବେଦର ଅନ୍ୟ ନାମ ଶ୍ରୁତି। ତାହାକୁ ଶିଷ୍ୟମାନେ ଗୁରୁଙ୍କ ମୁହଁରୁ ଶୁଣିଶୁଣି ମନେ ରଖୁଥିଲେ। ଭାରତ ଏକ ହିନ୍ଦୁବହୁଳ ରାଷ୍ଟ୍ର। ମାତ୍ର ଆଜିକାଲି ଅଧିକାଂଶ ହିନ୍ଦୁଙ୍କର ବେଦ ସମ୍ପର୍କରେ କିଛି ଜ୍ଞାନ ନାହିଁ। ବିଶ୍ୱରେ ଅଧିକ ସଂଖ୍ୟାରେ ଖ୍ରୀଷ୍ଟଧର୍ମୀ ଲୋକ ଅଛନ୍ତି। ସେମାନେ ବାଇବେଲକୁ ନିୟମିତ ପାଠ କରନ୍ତି। ତା’ପରେ ଅଧିକ ସଂଖ୍ୟାରେ ମୁସଲମାନ ବାସ କରନ୍ତି ବିଶ୍ୱରେ। ସେମାନେ କୋରାନ ପାଠ କରି ଆଲ୍ଲାଙ୍କୁ ଭଗବାନ ମାନନ୍ତି। ବୌଦ୍ଧ ଧର୍ମାବଲମ୍ବୀମାନେ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇ ତାଙ୍କ ଧର୍ମଶାସ୍ତ୍ରକୁ ଅଧ୍ୟୟନ କରନ୍ତି। ଖ୍ରୀଷ୍ଟିଆନମାନେ ନିୟମିତ ଚର୍ଚ୍ଚ ଯାଉଥିବା ବେଳେ ମୁସଲମାନମାନେ ମସଜିଦରେ ସମବେତ ହୋଇ ପ୍ରାର୍ଥନା କରିଥାନ୍ତି। ଶିଖ୍‌ମାନେ ଘରେ ଗୁରୁଗ୍ରନ୍ଥସାହେବ ପାଠ କରନ୍ତି ଓ ଗୁରୁଦ୍ୱାରା ଯାଇ ପ୍ରାର୍ଥନା କରନ୍ତି। ମାତ୍ର ହିନ୍ଦୁମାନେ ପ୍ରାୟତଃ ବେଦ-ଉପନିଷଦ ବିଷୟରେ ଖୁବ୍‌ କମ୍‌ ଜାଣନ୍ତି। କ୍ୱଚିତ୍‌ ଲୋକ ଗୀତା ପାଠ କରନ୍ତି ଏବଂ ବେଦ ପ୍ରାୟ କେହି ପଢ଼ନ୍ତି ନାହିଁ। କିନ୍ତୁ ବେଶି ବାବାମାନଙ୍କ ଭକ୍ତ ସାଜନ୍ତି, ଯେଉଁମାନେ ଚମତ୍କାର ଦେଖେଇ ସାଧାରଣଙ୍କୁ ଆକୃଷ୍ଟ କରିଥାନ୍ତି ଓ ପରେ ଭଣ୍ଡାମିର ପରିଚୟ ଦେଇ ଆଇନ ହାତରେ ଧରା ହୋଇ ଦଣ୍ଡିତ ହୁଅନ୍ତି।
ତା’ପରେ ବେଶି ଯାଆନ୍ତି ବିଭିନ୍ନ ଧାର୍ମିକ ପର୍ଯ୍ୟଟନସ୍ଥଳୀକୁ। ଭିନ୍ନ ଭିନ୍ନ ମନ୍ଦିର ଯାଇ ଦିଅଁ ଦର୍ଶନ, ଘରେ ବିଭିନ୍ନ ଠାକୁର ଫଟୋ ପୂଜା, ଗାୟତ୍ରୀ ମନ୍ତ୍ର ଜପ, ହରେକୃଷ୍ଣ ମନ୍ତ୍ର ଜପ ଆଦି ମାଧ୍ୟମରେ ଭଗବାନଙ୍କୁ ପାଇବା ପାଇଁ ବ୍ୟାକୁଳ ହୋଇଥାନ୍ତି। ମନସ୍କାମନା ପୂର୍ଣ୍ଣ ପାଇଁ ଭରସା ରଖିଥାନ୍ତି। ଶ୍ରାବଣ ମାସରେ ଲକ୍ଷାଧିକ କାଉଡିଆ ଶିବଲିଙ୍ଗ ଉପରେ ପ୍ରତି ସୋମବାର ପାଣି ଢାଳି ମାନସିକ କରିଥାନ୍ତି।
କେଉଁଠି ଯଜ୍ଞ ତ ପ୍ରବଚନ, କେଉଁଠି ଦେବୀପୂଜା ଆଡମ୍ବର ସହକାରେ ପାଳନ ତ ଅନ୍ୟ କେଉଁଠି ବାବାମାତାମାନଙ୍କ ସାନ୍ନିଧ୍ୟ ପାଇଁ ଲମ୍ବା ଧାଡି। କେଉଁଠି ହୁକୁମ ପାଇବା ପାଇଁ ଭିଡ ତ, କେଉଁଠି ପୂଜାପାର୍ବଣରେ ସମସ୍ୟା ସମାଧାନ ପାଇଁ ବ୍ରାହ୍ମଣମାନଙ୍କ ପଛରେ ପଡିବା। ଫଳରେ ଆମର ମୂଳ ଧର୍ମଶାସ୍ତ୍ର ବାଦ୍‌ ପଡିଯିବା ସ୍ବାଭାବିକ। ବିଶେଷକରି ଆଧ୍ୟାତ୍ମିକ ପ୍ରବଚକମାନେ ଶାସ୍ତ୍ର ପୁରାଣ ସମ୍ପର୍କରେ କହିଥାନ୍ତି। ସେମାନଙ୍କ ଯୋଗୁ ଆମ ପୁରାତନ ଶାସ୍ତ୍ର ଅଛି ବୋଲି ଆମେ ଜାଣୁ। ନ ହେଲେ ସେଇ ଟିକକ ବି ଲୋପ ପାଇଯାଆନ୍ତା। ଏସବୁର ପ୍ରଚାର ପ୍ରସାର ବୃଦ୍ଧି ପାଉଥିବା ବେଳେ ବହୁ ଲୋକ ଭଣ୍ଡାମିର ଶିକାର ହେଉଛନ୍ତି। ନିଜ ଧର୍ମର ମୂଳ କଥାଟି ଜାଣିପାରୁନାହାନ୍ତି। ସେଭଳି ସଦ୍‌ଗୁରୁ ବି ଖୁବ୍‌ ବିରଳ। ଅନ୍ଧବିଶ୍ୱାସ ଓ ଅନ୍ଧାନୁକରଣ ନ କରିବା ପାଇଁ କିଛି ହେତୁବାଦ ସମାଜ ସମାଜରେ ମୁଣ୍ଡ ଟେକି ଲୋକମାନଙ୍କୁ ବୁଝାଇବାରେ ବ୍ୟସ୍ତ ଥିଲେ ବି ପରମ୍ପରାଗତ ବିଶ୍ୱାସ ଦୃଢୀଭୂତ ହୋଇଯାଇଛି। ମଣିଷ ଅମଣିଷ ପରି କର୍ମ କରୁଛି। ବାସ୍ତବ ଜ୍ଞାନଠାରୁ ବହୁ ଦୂରକୁ ଚାଲିଯାଉଛି। ଆପେ ବଞ୍ଚିଲେ ବାପର ନାଁ ନ୍ୟାୟରେ ସମସ୍ତେ ନୀରବ।
ରାଜନୀତିରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ଚୌକି ପାଇଁ। ଅନ୍ୟାନ୍ୟ ପେସାର ବିଶେଷଜ୍ଞମାନେ ସେମାନଙ୍କ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ ପାଇଁ ବ୍ୟଗ୍ର। ସମାଜ ରସାତଳଗାମୀ ହେଉ ଏଥିପାଇଁ କାହାର କ୍ଷୋଭ ନାହିଁ। ଏସବୁଥିରୁ କିପରି ରକ୍ଷା ମିଳିବ? କିଏ ସୁମାର୍ଗର ସନ୍ଧାନ ଦେଇ ନେତୃତ୍ୱ ନେବ? ସତରେ କ’ଣ ଅବତାରୀ ପୁରୁଷ ଜନ୍ମ ନେଇ ଧରାଧାମରେ ସଂସ୍କାର ଆଣିବେ? ସଂଯମ, ସୁ-ଆହାର, ସାତ୍ତ୍ୱିକ ବ୍ୟବହାର ଆଦି ସମ୍ପର୍କରେ କିଏ ଶିକ୍ଷା ଦେଇପାରିବ? ବୈଦିକ ଭାଷାରେ ବେଦ ପଢି ପଢ଼ାଇବା ଆଜିର କମ୍ପ୍ୟୁଟର ଯୁଗରେ ସମ୍ଭବ ନୁହେଁ।
ଆମ ମୂଳ ଶାସ୍ତ୍ର ବେଦରେ ମୂର୍ତ୍ତିପୂଜାକୁ ଗୌଣ ଦର୍ଶାଯାଇଛି। ଆମର ଜ୍ଞାନ ଅଭାବରୁ ସେ ବିଷୟ ଆମେ ଠିକ୍‌ଭାବେ ଜାଣିପାରୁନା। ସେଥିପାଇଁ ଆମର ଆଗ୍ରହ କମ୍‌। ନାନା ଠାକୁର ପୂଜା ନୀତିରେ ମୂଳ ଜ୍ଞାନକୁ ଧରିପାରୁ ନାହୁଁ। ପୁରାତନ ଯୁଗରୁ ଯେଉଁ ପ୍ରଥା ଚଳିଆସିଛି, ତାକୁ ଅନୁକରଣ ବା ହନୁକରଣ କରି ଆମର ଏ ଅବସ୍ଥା। କିଏ ବାସ୍ତବ ଜ୍ଞାନର ଆଲୋକ ଦେଖାଇ ଅନ୍ଧାର ଦୂର କରିବ, ତାହା ହିଁ ଆଜିର ଅନୁଚିନ୍ତା। ହିନ୍ଦୁମାନଙ୍କର ମୂଳ ଶାସ୍ତ୍ର ଅଧ୍ୟୟନକୁ ଆମ୍ଭମାନଙ୍କୁ ଫେରିବାକୁ ହେବ। ଅଜ୍ଞାନକୁ ନ ଆଡେଇଲେ ସତ୍ୟ-ଅସତ୍ୟ ପାଇଁ ସଂସାର ସମୁଦ୍ରରେ ଉବୁଟୁବୁ ହେଇ ଅମୂଲ୍ୟ ଜୀବନ ପ୍ରଦୀପ ଲିଭିଯିବ। ସେଥିପାଇଁ ପ୍ରଥମେ ଆଗ୍ରହ ଜନ୍ମାଇବାକୁ ହେବ। ଭାରତର ଧର୍ମଧାରା ସମ୍ପର୍କରେ ଜ୍ଞାନ ପାଇବା ଦରକାର। ଠାକୁର ପଥର ବେପାର ସବୁ ଅଲଗା ଅଲଗା। ସବୁକୁ ମିଶାଇଲେ ଲାଭ ମିଳିବନି। ଲକ୍ଷ ଲକ୍ଷ ସ୍ଥାନରେ ଏହିପରି ଠକାମି ଆମର ଦେହସୁହା ହୋଇଯାଇଛି। ଏଥିରୁ ନିବୃତ୍ତ ହେବା କାଠିକର ବ୍ୟାପାର। ମାତ୍ର ସତୀଦାହ ପ୍ରଥା ପରି ଏସବୁ ପ୍ରଥାମାନ ଦିନେ ନା ଦିନେ ବଦଳିବ। ବେଦ ପାଠକଲେ ପ୍ରଶ୍ନ ଉଠେ କି ଉପକାର ମିଳେ। ତା’ର ଉତ୍ତର ହେଲା ଶାସ୍ତ୍ର ପଠନ ମାଧ୍ୟମରେ କର୍ତ୍ତବ୍ୟ ଓ ଅକର୍ତ୍ତବ୍ୟ ସମ୍ପର୍କରେ ଜ୍ଞାନଲାଭ ଦ୍ୱାରା ଆମେ ସତ୍‌ ଆଚରଣ ଯୁକ୍ତ ହୋଇଥାଉ।
ମୋ-୯୮୬୧୧୪୫୬୮୭