ବାସ୍‌, କେବଳ ନାଟକ!

”ନବମ ଶ୍ରେଣୀରେ ମୁଁ ପ୍ରଥମ ନାଟକ ଲେଖିଥିଲି। ବାସ୍‌, ସେବେଠୁ ନାଟକ ପ୍ରେମରେ ଏମିତି ପଡ଼ିଯାଇଛି ଯେ ତା’ କବଳରୁ ମୁକୁଳି ପାରୁନି।“ ଏକଥା କହନ୍ତି ଓଡ଼ିଆ ଯାତ୍ରା ଜଗତର ଅନ୍ୟତମ ପ୍ରତିଭା ସମ୍ପନ୍ନ ନାଟ୍ୟକାର ଅରୁଣ ନାୟକ। କ୍ୱାଣ୍ଟିଟି ବା ନାଟକର ସଂଖ୍ୟା ଉପରେ ନୁହେଁ; ସେ କ୍ୱାଲିଟି ବା ଗୁଣାତ୍ମକ ନାଟକ ଲେଖିବାରେ ବିଶ୍ୱାସ କରନ୍ତି। ତାଙ୍କର କହିବା କଥା ହେଉଛି ବର୍ଷକୁ ଗୋଟିଏ ନାଟକ ଲେଖାଯାଉ। ମାତ୍ର ତାହା ଏକ ଭଲ ନାଟକ ହେଉ। ମୃତ୍ୟୁଦଣ୍ଡ, ସୀତାର ଜଳୁଛି ଚିତା, ହସୁଛି ଅଳପ କାନ୍ଦୁଛି ବେଶି ଭଳି ଅପେରା ନାଟକ ହେଉ କି ଜୀବନର ମୃତ୍ୟୁ, ନାଟ୍‌ ଚାଲିଛେ (ସମ୍ବଲପୁରୀ ଭାଷା), ସ୍ବାର୍ଥ, ଯା ଦେବୀ ସର୍ବଭୂତେଷୁ, ଗଣତନ୍ତ୍ରର ବଜାର ଭଳି ବେତାର ତଥା ମଞ୍ଚ ନାଟକ ହେଉ ଏସବୁ ତାହାର ଗୋଟିଏ ଗୋଟିଏ ଉଦାହରଣ। ହାଇସ୍କୁଲ୍‌ରେ ପଢୁଥିବା ବେଳେ ସେ ଲେଖିଥିଲେ ନାଟକ ‘ରକ୍ତର ପ୍ରତିଶୋଧ’। ଆଉ ଏହା ହିଁ ଥିଲା ତାଙ୍କର ପ୍ରଥମ ନାଟକ। ତାଙ୍କର ଆଉ ଏକ ନାଟକ ‘ବିଜୟମାଳା’। ନାଟକଟିର କାହାଣୀ ତମାଖୁ ନିରୋଧୀ ବାର୍ତ୍ତା ବହନ କରୁଥିଲା। ନାଟକଟି ସେତେବେଳେ ସମ୍ବଲପୁର ଆକାଶବାଣୀ ଦ୍ୱାରା ପ୍ରସାରିତ ହୋଇ ତାଙ୍କୁ ଘରେ ଘରେ ପରିଚିତ କରେଇ ଦେଇଥିଲା। ଆଉ ସେଥିପାଇଁ ସମ୍ବଲପୁର ସାଂସ୍କୃତିକ ପରିଷଦ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା ମଧ୍ୟ। ଭେଟେରାନ୍‌ ଅଭିନେତା ଦେବୀପ୍ରସାଦ ରଥଙ୍କ ଅଭିନୟ ଦ୍ୱାରା ପ୍ରଭାବିତ ହୋଇ ନାଟକଆଡ଼କୁ ଆକର୍ଷିତ ହୋଇଥିଲେ ଅରୁଣ। ଆଉ ଲେଖି ଚାଲିଲେ ଗୋଟିଏ ପରେ ଗୋଟିଏ ନାଟକ। ‘ଜୀବନର ମୃତ୍ୟୁ’, ‘ନାଟ୍‌ ଚାଲିଛେ (ସମ୍ବଲପୁରୀ ଭାଷା)’, ‘ସ୍ବାର୍ଥ’, ‘ଯା ଦେବୀ ସର୍ବଭୂତେଷୁ’, ‘ଗଣତନ୍ତ୍ରର ବଜାର’, ‘ହମ୍‌ରି ଦୁନିଅଁା (ସାଦ୍ରି ଭାଷା)’ ଆଦି ତାଙ୍କର ଗୋଟିଏ ଗୋଟିଏ ଉଲ୍ଲେଖନୀୟ ବେତାର ତଥା ମଞ୍ଚ ନାଟକ। କେବଳ ବେତାର କି ମଞ୍ଚନୁହେଁ; ସେ ଛୋଟ ପରଦାରେ ମଧ୍ୟ ସକ୍ରିୟ ଥିଲେ। ‘ମହାଯଜ୍ଞ’, ‘ସକାଳ ସୂର୍ଯ୍ୟ’, ‘ଶ୍ରାବଣୀ’, ‘କୁହୁଡ଼ି’, ‘ପ୍ରିୟାମୋର’, ‘ଇନ୍ଦ୍ରଜାଲ’, ‘ଟୋପାଏ ସିନ୍ଦୂର’ ଭଳି ଦୂରଦର୍ଶନରେ ପ୍ରସାରିତ ମେଗା ଧାରାବାହିକ କାହାଣୀ, ଚିତ୍ରନାଟ୍ୟ ତଥା ସଂଳାପ ଲେଖି ନିଜ ଭର୍ସାଟିଲିଟିର ପରିଚୟ ଦେଇଛନ୍ତି। ନାଟକ କେବଳ ଆମୋଦ ପ୍ରମୋଦର ମାଧ୍ୟମ ନୁହେଁ। ଏହା ହେଉଛି ସମାଜକୁ ସଚେତନ କରିବାର ଏକ ମାଧ୍ୟମ। ତେଣୁ ସବୁ ନାଟକରେ ଏକ ସାମାଜିକ ବାର୍ତ୍ତା ଦେବା ଲାଗି ସେ ସତତ ଯତ୍ନଶୀଳ। ତାଙ୍କର ସେଭଳି ଏକ ନାଟକ ହେଉଛି ‘ବେଳ ଥାଉ ବନ୍ଧ ବାନ୍ଧ’। ନାଟକ ବିଷୟରେ ନାଟ୍ୟକାର କହନ୍ତି : ‘ମଣିଷ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ଗଛ। ମାତ୍ର ସମଗ୍ର ବିଶ୍ୱରେ ଅବାଧରେ ଗଛକଟା ଚାଲିଛି। ମଣିଷ ଦିନକୁଦିନ ଜଙ୍ଗଲ ସଫା କରିଚାଲିଛି। ଦିନକୁଦିନ ପରିବେଶ ମଣିଷ ପାଇଁ ହାନିକାରକ ସାଜୁଛି। ତେଣୁ ଏବେଠୁ ସାବଧାନ ହେବା ଆବଶ୍ୟକ। ଏହି ବାର୍ତ୍ତା ଦେବା ପାଇଁ ସେ ରଚନା କରିଥିଲେ ନାଟକ ‘ବେଳ ଥାଉ ବନ୍ଧ ବାନ୍ଧ’। ଏହି ନାଟକଟି ଯୁକ୍ତରାଷ୍ଟ୍ର ଆମେରିକାର ହ୍ୟୁଷ୍ଟନ ସହର ସ୍ଥିତ ସାନ୍‌ ଆଣ୍ଟାନିଓ ଠାରେ ମଞ୍ଚସ୍ଥ ହୋଇ ତାଙ୍କୁ ଅଶେଷ ଲୋକପ୍ରିୟତା ଆଣିଦେଇଥିଲା। ସମ୍ପ୍ରତି ଯୁବ ନିର୍ଦ୍ଦେଶକ ମହେଶ ହାଜରାଙ୍କ ସହ ମୃତ୍ୟୁଦଣ୍ଡ, ସୀତାର ଜଳୁଛି ଚିତା ଭଳି ନାଟକ କରି ସେ ବେଶ ସଫଳ ହୋଇଛନ୍ତି ବୋଲି କହନ୍ତି ଏହି ନାଟ୍ୟକାର।

Share