ବାହାନଗା ତହସିଲ ପକ୍ଷରୁ ଉଚ୍ଛେଦ ଆରମ୍ଭ

ବାହାନଗା, ୫ା୧୦(ଡି.ଏନ.ଏ.)-ଘରୁ ବାହାରିବା ଲାଗି ରାସ୍ତା ନ ଥିବାରୁ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଓଡଶାଳ ପଞ୍ଚାୟତର ଝଳଝଳିଆ ଗ୍ରାମର ୩ ପରିବାର ଗତ ୩୦ ତାରିଖରେ ତହସିଲ ସମ୍ମୁଖରେ ଧାରଣା ଦେଇଥିଲେ। ଶୁକ୍ରବାର ତହସିଲ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅବରୋଧ କରାଯାଇଥିବା ସରକାରୀ ରାସ୍ତାରୁ ବାଡ ଉଚ୍ଛେଦ କରାଯାଇଛି।
ସେହିପରି ଗୋପାଳପୁର ବଜାରରେ ମଧ୍ୟ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ସରକାରୀ ଜମିକୁ ଜବରଦଖଲ କରି ଦୋକାନୀମାନେ ବ୍ୟବସାୟ କରୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ତେବେ ଝଳଝଳିଆ ଗ୍ରାମର ରାସ୍ତା ଅବରୋଧ ଉଚ୍ଛେଦ ସମୟରେ ବାହାନଗା ତହସିଲଦାର ଦେବଯାନୀ ଭୂୟାଁ, ମୁଖ୍ୟ କିରାଣି ମନୋରଞ୍ଜନ ବେହେରା, ଆରଆଇ, ତହସିଲର କର୍ମଚାରୀ ଓ ଅମିନ ପ୍ରମୁଖ ଉପସ୍ଥିତ ଥିଲେ। ଯେଉଁ ପରିବାର ସରକାରୀ ରାସ୍ତାରେ ଯାଇପାରୁ ନ ଥିଲେ ସେମାନଙ୍କ ଦାବିକୁ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇ ମାପଚୁପ କରାଯିବା ପରେ ରାସ୍ତାରୁ ଅବରୋଧ ହଟାଯାଇଥିଲା। ଏହି ଘଟଣା ପରେ ଗ୍ରାମବାସୀ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି। ସେହିପରି ଶୁକ୍ରବାର ବାହାନଗା ବ୍ଲକର ପ୍ରମୁଖ ବ୍ୟବସାୟୀସ୍ଥଳ ଗୋପାଳପୁର ବଜାର ଚାରିକଡରେ ପ୍ରଶାସନ ପକ୍ଷରୁ ଜବରଦଖଲ କରି ଦୋକାନ ଆଗଗୁଡିକୁ ଅବରୋଧ କରିଥିବା ସ୍ଥାନକୁ ଉଚ୍ଛେଦ କରାଯାଇଛି ା ଏଥିପାଇଁ ତହସିଲ ପକ୍ଷରୁ ଗୁରୁବାର ମାଇକ୍‌ ଯୋଗେ ଦୋକାନୀମାନଙ୍କ ଅବଗତ ନିମନ୍ତେ ପ୍ରଚାର ମାଧ୍ୟମରେ ଜଣାଇ ଦିଆଯାଇଥିଲା। ଉଚ୍ଛେଦ ସମୟରେ ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟ ଭାବେ ବାହାନଗା ତହସିଲଦାର ଦେବଯାନୀ ଭୂୟାଁ, ଆରଆଇ, ତହସିଲ କର୍ମଚାରୀ ଓ ପୋଲିସ ଉପସ୍ଥିତ ଥିଲେ।