ବାହାନଗା ପଞ୍ଚାୟତ ସମିତି ବୈଠକ: ଫାଇଲିନ୍‌ ଟଙ୍କା ଖର୍ଚ୍ଚ ନେଇ ହୋହାଲ୍ଲା

ବାହାନଗା, ୭ା୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ପରିସରରେ ଶୁକ୍ରବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପସ୍ଥିତ ସଭ୍ୟାସଭ୍ୟମାନେ ଫାଇଲିନ୍‌ ବାବଦକୁ ଆସିଥିବା ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ନେଇ ପ୍ରଶ୍ନ ଉଠାଇବା ସହିତ ହୋହାଲ୍ଲା କରିଥିଲେ। ଏହି ଟଙ୍କା ୨୪ ପଞ୍ଚାୟତ ମଧ୍ୟରୁ ୧୫ ପଞ୍ଚାୟତରେ ଖର୍ଚ୍ଚ କରାଯାଇଥିବାରୁ ସଭ୍ୟାସଭ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ।
ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସରସ୍ବତୀ ମହାଳିକ ସଭାପତିତ୍ୱ କରିଥିଲେ। ଏବିଡିଓ ମାନସ କୁମାର ଚୌଧୁରୀ ସଭାକୁ ପରିଚାଳନା କରିଥିଲେ। ଏଥିରେ ଜିଲାପରିଷଦ ସଭ୍ୟ ଶରତଚନ୍ଦ୍ର ରାଜ, ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିନିଧି ବୈରାଗୀ ଚରଣ ବେହେରା, ନୀଳଗିରି ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ବାରିକ, ଜିପିଓ ରାମଚନ୍ଦ୍ର ମାରାର୍ଣ୍ଣି, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ତରୁଣକାନ୍ତ ନନ୍ଦୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଉନ୍ନୟନମୂଳକ କାମ ବିଷୟରେ ଆଲୋଚନା କରି ପ୍ରସ୍ତାବ ଆଗତ କରିଥିଲେ ା ଏଥିରେ ସରକାରଙ୍କ କାଳିଆ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା। ଏଥିରେ ବ୍ଲକର ୧୯ ହଜାର ୯୧ଜଣ କାଳିଆ ଯୋଜନାରେ ସାମିଲ ହୋଇଥିବା ବୈଠକରେ ଅତିରିକ୍ତ କୃଷି ସମ୍ପ୍ରସାରଣ ଅଧିକାରୀ ରଙ୍ଗନାଥ ପାତ୍ର ପ୍ରକାଶ କରିଥିଲେ। ଏମାନଙ୍କ ମଧ୍ୟରୁ ୨୭ଶହ ୯୯ଜଣ ଅଯୋଗ୍ୟ ହିତାଧିକାରୀ ଭାବେ ବାଦ୍‌ ପଡିଛନ୍ତିି ା ୧୦ହଜାର ଯୋଗ୍ୟ ହିତାଧିକାରୀ ଭାବେ ପୁନର୍ବାର ଫର୍ମ ଆବେଦନ କରିଛନ୍ତି। ଏହାସହିତ ପାନୀୟଜଳ ଓ ବିଦ୍ୟୁତ, ଶିକ୍ଷା, ଅଙ୍ଗନୱାଡି ବାବଦରେ ଆଲୋଚନା କରାଯାଇଥିଲା। ସେହିପରି ଅନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସଭ୍ୟାସଭ୍ୟମାନଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ। ତେବେ ବୈଠକରେ ବିଜେଡି ସମର୍ଥିତ ସରପଞ୍ଚ ସମିତିସଭ୍ୟାସଭ୍ୟମାନେ ଏକକାଳୀନ ଅନୁପସ୍ଥିତି ନେଇ ଚର୍ଚ୍ଚା ଜୋର ଧରିଥିଲା।