ବାହାମାସରେ ତାଣ୍ଡବ ରଚିଲା ପରେ ଫ୍ଲୋରିଡା ମୁହାଁ ହେଉଛି ‘ଡୋରିଆନ୍‌’

ଓ୍ବାଶିଂଟନ,୩।୯: ସାମୁଦ୍ରିକ ଝଡ଼ ଡୋରିଆନ ବାହାମାସରେ ଲ୍ୟାଣ୍ଡଫଲ କରିବା ପରେ ସେଠାରେ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ଏପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହେବା ସହ ପାଖାପାଖି ୧୩ ହଜାର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ଏବେ ଏହା ଫ୍ଲୋରିଡା ମୁହାଁ ହୋଇଥିବା କହିଛି ଆମେରିକା ପାଣିପାଗ ବିଭାଗ। ଏବେ ଏହି ଡୋରିଆନକୁ ୫ ନମ୍ବର ଶ୍ରେଣୀଭୁକ୍ତ କରାଯାଇଛି। ବାହାମାସରେ ଏହାର ପ୍ରଭାବ ଏପରି ଥିଲା ଯେ ଉଦ୍ଧାରକାରୀ ଦଳ ମଧ୍ୟ ପ୍ରଭାବିତଙ୍କୁ ଉଦ୍ଧାର କରିପାରି ନ ଥିଲେ। ଏବେ ସେଠାରେ ଘଣ୍ଟାପ୍ରତି ୨୯୭ କିଲୋମିଟର ବେଗରେ ପବନ ବହୁଥିବା ଜଣାପଡିଛି। ବର୍ଷାର ପରିମାଣ ମଧ୍ୟ ଏତେ ଅଧିକ ରହିଛି ଯେ ଅନେକ ଲୋକଙ୍କ ଘରର ଛାତ ପର୍ଯ୍ୟନ୍ତ ପାଣି ଲାଗି ଯାଇଛି। ଗ୍ରାଣ୍ଡ ବାହମାସର ଜଣେ ମହିଳା ଦ୍ୱିତୀୟ ମହଲାରେ ଥାଇ ଏହାର ଏକ ଭିଡିଓ ଶେୟାର କରିଥିବା ଦେଖାଯାଇଛି। ତେବେ ଫ୍ଲୋରିଡା ଓ ଜର୍ଜିଆରେ ଏହା ବିଶେଷ କ୍ଷତି କରିବାର ଆଶଙ୍କା ଥିବାରୁ ସେଠାକାର ଉପକୂଳବାସୀଙ୍କୁ ସତର୍କ କରିଛି ପ୍ରଶାସନ। ପରେ ଏହାର ଗତିପଥରେ ପରିବର୍ତ୍ତନ ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ।

Share