ବାହାରୁ ଆସୁଥିବା ଲୋକଙ୍କ ପାଇଁ ୧୦୦ ମନିଟରିଂ ଟିମ୍‌ ମୁତୟନ: ସଂଗରୋଧ ସହ ସ୍ବାସ୍ଥାବସ୍ଥା ଉପରେ ନଜର ରଖିବାକୁ କରୁଛନ୍ତି ଯୋଗାଯୋଗ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): କରୋନା କବଳରେ ଏବେ ବିଶ୍ୱର ୧୮୯ ଦେଶ । ଗୁରୁବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୭୪ ହଜାର ୯୬୮ ଥିବା ବେଳେ ଶୁକ୍ରବାର ଏହା ୫ ଲକ୍ଷ ୩୭ହଜାର ୧୭୮ରେ ପହଞ୍ଚିଛି। ସେହିଭଳି ମୃତକଙ୍କ ସଂଖ୍ୟା ୨୧୩୫୩ରୁ ୨୪୧୨୬ରେ ପହଞ୍ଚିଛି। ଭାରତରେ ୬୮୬ଜଣ ଆକ୍ରାନ୍ତ ଥିବା ବେଳେ ଶୁକ୍ରବାର ୭୫୩ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ୧୩ରୁ ୨୦ରେ ମୃତକ ସଂଖ୍ୟା ପହଞ୍ଚିଛି ବୋଲି ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

ବାଗ୍‌ଚୀ ଆହୁରୀ ମଧ୍ୟ କହିଛନ୍ତି, ରାଜ୍ୟରେ ୧୬ ମାର୍ଚ୍ଚରୁ ୨୭ ମାର୍ଚ୍ଚ ଭିତରେ ବହୁତ କିଛି ବଦଳିଛି। ଯୁକ୍ତରାଷ୍ଟ୍ର ଆମେରିକା ସର୍ବୋଚ୍ଚ ସଂକ୍ରମିତ ଦେଶ ଭାବେ ଉଭା ହୋଇଛି। ଏହି ଦେଶରେ ୮୫୬୧୨ଜଣ ଆକ୍ରାନ୍ତ ଥିବା ବେଳେ ୧୩୦୧ଜଣଙ୍କ ମୃତ୍ୟୁ ଘଟିଛି। ବିଶ୍ୱର ସବୁଠାରୁ ଉନ୍ନତ ଦେଶରୁ ଗୋଟିଏ ହେବା ସତ୍ତ୍ୱେ ଏହା କରୋନା ମୁକାବିଲା ଦିଗରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟାକୁ କୋହଳରେ ନିଅନ୍ତୁ ନାହିଁ। ରାଜ୍ୟରେ ଦିନ ୧ଟା ସୁଦ୍ଧା ୨୫୬ଜଣଙ୍କ ନମୂନା ପରୀକ୍ଷଣ ପାଇଁ ଯାଇଥିବା ବେଳେ ୧୮୯ଙ୍କର ଫଳାଫଳ ମିଳିଛି। ରାଜ୍ୟରେ ମୋଟ ୩ଜଣ ଆକ୍ରାନ୍ତ ହୋଇଛନ୍ତି। ସମସ୍ତେ ଭୁବନେଶ୍ୱରର। ପ୍ରଥମ ଦୁଇଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ହେଲେ ୩ୟ ବ୍ୟକ୍ତିଙ୍କୁ ନଜରରେ ରଖାଯାଇଛି। ପ୍ରଥମ ଦୁଇଜଣ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୫୫ଜଣ ଆସିଥିବା ତଥ୍ୟ ମିଳିଛି। ତୃତୀୟ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଖୋଜା ଚାଲିଛି।

ରାଜଧାନୀରେ ୧୦ଟି ମନିଟରିଂ ଟିମ୍‌ ମୁତୟନ ହୋଇଛନ୍ତି। ରାଜ୍ୟରେ ମୋଟ ୧୦୦ଟିମ୍‌ ବାହାରୁ ଆସିଥିବା ଲୋକଙ୍କ ସହ ଯୋଗାଯୋଗ ରଖୁଛନ୍ତି। ବାହାରୁ ଆସିଥିବା ଲୋକଙ୍କୁ ସେମାନେ ସଂଗରୋଧ କରିବା ସହ ସ୍ବାସ୍ଥ୍ୟାବସ୍ଥା ଦେଖିବାକୁ ପରାମର୍ଶ ଦେଉଛନ୍ତି। ୧୦୪ନଂରେ ୪୪୯୫ଜଣ ପଞ୍ଜିକରଣ କରିଛନ୍ତି। ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୩୭ଜଣ ଆଇସୋଲେସନରେ ରଖାଯାଇଛି ବୋଲି ବାଗ୍‌ଚୀ କହିଛନ୍ତି।

Share